
ନୂଆଦିଲ୍ଲୀ : ଜେନେରାଲ ବିପିନ ରାଓ୍ୱତ ହେଲେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ଗତକାଲି କେନ୍ଦ୍ର ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରିନ୍ସପାଲ ସାମରିକ ପରାମର୍ଶଦାତା ଭାବେ କାମ କରିବେ । ଏହା ସହିତ ନୂଆ କରି ଗଠନ ହୋଇଥିବା ମିଲିଟାଲି ଆଫେୟାର୍ସ ବିଭାଗର ମୁଖ୍ୟ ଭାବେ ସେ ଦାୟିତ୍ୱ ତୁଳାଇବେ ।
ଆର୍ମି, ନେଭି ଓ ଏୟାରଫୋର୍ସ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ କିଛି ଦିନ ତଳେ ମୋଦି ସରକାର ନୂଆ କରି ଚିଫ୍ ଅପ୍ ଡିଫେନ୍ସ ଷ୍ଟାଫ୍ ପଦବୀ ସୃଷ୍ଟି କରିଥିଲେ । ବିଶେଷ କରି ଟ୍ରେନିଂ, ଲଜିଷ୍ଟିକ୍ସ ଓ ତିନି ସେନାର ଅସ୍ତ୍ରଶସ୍ତ୍ର କିଣାରେ ସିଡିଏସ୍ଙ୍କ ପ୍ରମୁଖ ଭୂମିକା ରହିବ ।
ମିଲିଟାରିର ସାଇବର୍ ଓ ସ୍ପେସ୍ କ୍ଷେତ୍ରରେ ମଧ୍ୟ ସେ ମୁଖିଆ ଦାୟିତ୍ୱ ତୁଳାଇବେ । କିନ୍ତୁ କୌଣସି ଅପରେସନ କିମ୍ବା କମାଣ୍ଡରେ ସିଡିଏସ୍ଙ୍କ ଭୂମିକା ରହିବ ନାହିଁ । ସେ ୬୫ ବର୍ଷ ବୟସ ଯାଏ କାମ କରିପାରିବେ । ଆଜି ଜେନେରାଲ ରାଓ୍ୱତ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବାର ଥିଲା । ତା ପୂର୍ବରୁ ଜେନେରାଲ ରାଓ୍ୱତଙ୍କୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର ।