
କଲୋମ୍ବୋ: ଶ୍ରୀଲଙ୍କାର ଅଲରାଉଣ୍ଡର ଥିସାରା ପରେରା ସେନାରେ ସାମିଲ ହୋଇଛନ୍ତି । ପରେରା ଶ୍ରୀଲଙ୍କାର ସ୍ଥଳ ସେନାରେ ମେଜର ପଦରେ ଗାଜାବା ରେଜିମେଣ୍ଟରେ ଜଏନ୍ କରିଛନ୍ତି । ୩୦ ବର୍ଷୀୟ ପରେରା କହିଛନ୍ତି ଯେ ସେ ଆର୍ମୀ କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ ଶିବେନ୍ଦ୍ର ସିଲ୍ବାଙ୍କ ନିମନ୍ତ୍ରଣରେ ସେନାରେ ଜଏନ୍ କରିଛନ୍ତି ।
କଲୋମ୍ବୋ ଗ୍ୟାଜେଟର ରିପୋର୍ଟ ଅନୁସାରେ ଥିସାରା ପରେରାଙ୍କୁ ଗାଜାବା ରେଜିମେଣ୍ଟରେ ମେଜର ପଦରେ ନିଯୁକ୍ତି ମିଳିଛି । ତାଙ୍କୁ ଔପଚାରିକ ଭାବେ ଶ୍ରୀଲଙ୍କା ଆର୍ମୀ ଭଲିଣ୍ଟିୟର ଫୋର୍ସରେ ସାମିଲ କରାଯାଇଛି । ପରେରା ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।
ଥିସାରା ପରେରା ଶ୍ରୀଲଙ୍କାର ଷ୍ଟାର୍ ଅଲରାଉଣ୍ଡର । ସେ ଟିମର କ୍ୟାପ୍ଟେନ୍ ମଧ୍ୟ ରହିସାରିଛନ୍ତି । ସେ ଆଇପିଏଲରେ ୬ ଅଲଗା-ଅଲଗା ଟିମରେ ଖେଳି ସାରିଛନ୍ତି । ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, କୋଚ୍ଚି ଟସ୍କର୍ସ କେରଲା, ରାଇଜିଂ ପୁଣେ ସୁପରଜାଏଣ୍ଟସ୍ ଓ ସନରାଇଜର୍ସ ହାଇଦ୍ରାବାଦ ସାମିଲ । ଶ୍ରୀଲଙ୍କାର ପୂର୍ବତନ କ୍ୟାପ୍ଟେନ୍ ଦିନେଶ ଚାଣ୍ଡିମଲ୍ ମଧ୍ୟ ଚଳିତବର୍ଷର ପ୍ରାରମ୍ଭରେ ଶ୍ରୀଲଙ୍କା ଆର୍ମୀ ଭଲ୍ୟୁଣ୍ଟ୍ୟୁୟର ଫୋର୍ସ ଜଏନ୍ କରିଥିଲେ । ସେ ଆର୍ମି କ୍ରିକେଟ୍ ଟିମରୁ ଖେଳିବା ପାଇଁ ପ୍ରସ୍ତାବ ସ୍ୱୀକାର କରିଥିଲେ ।
ଥିସାରା ପରେରା ଶ୍ରୀଲଙ୍କା ପାଇଁ ୬ ଟେଷ୍ଟ, ୧୬୧ ୱନଡେ ଓ ୭୯ ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୨୦୩, ୱନଡେରେ ୨୨୧୦ ଓ ଟି୨୦ରେ ୧୧୬୯ ରନ୍ ସଂଗ୍ରହ କରିଛନ୍ତି । ପରେରା ଏହି ୩ ଫର୍ମାଟରେ କ୍ରମଶଃ ୧୧,୧୭୧ ଓ ୫୧ ୱିକେଟ୍ ନେଇଛନ୍ତି ।