୨୦୨୦ ଫେବ୍ରୁଆରୀରୁ ନୂଆ ନିୟମ: ଡିଜିଟାଲ ପେମେଣ୍ଟ ଗ୍ରହଣ ନ କଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ : ବାର୍ଷିକ ୫୦ କୋଟି କିମ୍ବା ତଦୁଦ୍ଧ୍ୱର୍ ବ୍ୟବସାୟ କରୁଥିବା ଦୋକାନ, ବ୍ୟବସାୟିକ ସଂସ୍ଥା କିମ୍ବା କମ୍ପାନିଗୁଡିକ ଫେବ୍ରୁଆରୀରୁ ସେମାନଙ୍କ ଗ୍ରାହକଙ୍କୁ ଡିଜିଟାଲ ପେମେଣ୍ଟ ସୁବିଧା ଯୋଗାଇବାକୁ ବାଧ୍ୟ । ଏହା ନ କଲେ ଏମାନେ ମୋଟା ଅଙ୍କର ଜରିମାନା ଗଣିବେ । ଜାନୁଆରୀ ୩୧ ସୁଦ୍ଧା ଡିଜିଟାଲ ପେମେଣ୍ଟ ସିଷ୍ଟମ୍‌ ସଂସ୍ଥାପନ କରିବା ପାଇଁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଫେବ୍ରୁଆରୀରୁ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ଗ୍ରହଣ ନ କଲେ ଦିନକୁ ଏମାନେ ୫,୦୦୦ ଟଙ୍କା ଜରିମାନା ଗଣିବେ । ଦେଶକୁ ନଗଦରହିତ ଅର୍ଥନୀତିରେ ରୂପାନ୍ତର କରିବା ଏହାର ଲକ୍ଷ୍ୟ । ଏ ସମ୍ପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ କୁହାଯାଇଛି ଯେ, ପେମେଣ୍ଟ ସିଷ୍ଟମ୍‌ ଇନ୍‌ଷ୍ଟଲ କରିବା ପାଇଁ ସଂପୃକ୍ତ ସଂସ୍ଥାଗୁଡିକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହା ପରେ ଯଦି ଏମାନେ ଡିଜିଟାଲ ପେମେଣ୍ଟ ଗ୍ରହଣ ନ କରନ୍ତି ତା’ହେଲେ ଜରିମାନା ଦେବେ ।

ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ୱିତ କରିବା ପାଇଁ ଆୟ କର ଆଇନରେ ଉପରୋକ୍ତ ବ୍ୟବସ୍ଥା କରାଯାଇଛି । ରୁପେ ଏବଂ ୟୁପିଆଇ ଭଳି ପେମେଣ୍ଟ ସିଷ୍ଟମ୍‌ ରହିଛି, ଯେଉଁଥିରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ୍‌ ରେଟ୍‌(ଏମ୍‌ଡିଆର୍‌) ଦେୟ ପଡୁନାହିଁ । ଏସବୁ ପ୍ରୋତ୍ସାହନ ଦେଇ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ୱିତ କରୁଛନ୍ତି । ଏମ୍‌ଡିଆର୍‌ ଡିଜିଟାଲ କାରବାରର ଏକ ଅଂଶ, ଯାହାକୁ ବ୍ୟବସାୟୀ ବ୍ୟାଙ୍କଗୁଡିକୁ ପ୍ରଦାନ କରିଥାଏ। ଏହି ଖର୍ଚ୍ଚର ବୃହତ୍‌ ଭାଗ ଗ୍ରାହକଙ୍କଠାରୁ ନିଆଯାଇଥାଏ ।

Leave a Reply

Your email address will not be published. Required fields are marked *