ନାବାଳିକା ମାଓବାଦୀଙ୍କ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ

ଫୁଲବାଣୀ : ସିପିଆଇ (ମାଓଇଷ୍ଟ) ପାର୍ଟିର ଜଣେ ନାବାଳିକା ସଦସ୍ୟ ତଥା ବିଜିଏନ୍‌ ( ବଂଶଧାରା, ଘୁମୁସର, ନାଗାବଳି) ଡିଭିଜନର କ୍ୟାଡର ମହିଳା ମାଓବାଦୀ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ବୟସ ୧୬ ବର୍ଷ । ଗତ ୨୬ ତାରିଖରେ ସେ ଆତ୍ମସମର୍ପଣ କରିଥିବା ଏସ୍‌ପି ପ୍ରତୀକ୍‌ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସ୍‌ପି ସିଂହଙ୍କ ସୂଚନା ଅନୁଯାୟୀ ଆତ୍ମସମର୍ପଣ କରିଥିବା ନାବାଳିକା ମାଓବାୟୀଙ୍କ ଘର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ପଞ୍ଚାୟତର ଗୁଡ୍ରି ଗ୍ରାମରେ । ୨୦୧୮ ସେପ୍ଟେମ୍ବର ୨୩ରେ ସେ ସିପିଆଇ (ମାଓଇଷ୍ଟ) ଦଳରେ ଯୋଗଦେବା ସହ ବିଜିଏନ୍‌ ଡିଭିଜନର ଘୁମୁସର ଏରିଆ କମିଟିରେ କାର୍ଯ୍ୟ କରୁଥିଲେ । ୨୦୧୮ ଅକ୍ଟୋବର ୨ରେ ଗାଡ଼ିମାସ୍କା କ୍ୟାମ୍ପ ଚଢ଼ଉ ବେଳେ ସେ ସେହି କ୍ୟାମ୍ପରୁ ଖସି ଯାଇଥିଲେ । ଗତ ଜାନୁୟାରୀ ୩୧ରେ ବାଲିଗୁଡ଼ା-ଦାରିଙ୍ଗିବାଡ଼ି ରାସ୍ତାରେ ଗଛକାଟି ରାସ୍ତା ଅବରୋଧ ଘଟଣାରେ ଜଡିତ ଥିଲେ । ଏଥିସହ ମାର୍ଚ୍ଚ ୧୩ରେ ଲେଙ୍ଗରମାହା ଠାରେ ପୁଲିସ ସହ ମାଓବାଦୀଙ୍କ ଗୁଳି ବିନିମୟ ଘଟଣାରେ ମଧ୍ୟ ସେ ସାମିଲ ଥିଲେ । ଯେଉଁ ଆଦର୍ଶ ଓ ଲକ୍ଷ୍ୟର କଥା କହି ତାଙ୍କୁ ଦଳରେ ଯୋଗଦେବାକୁ ପ୍ରଭାବିତ କରାଯାଇଥିଲା ସେହି ଲକ୍ଷ୍ୟରୁ ବିଚ୍ୟୁତ ହୋଇ ଦଳ କାର୍ଯ୍ୟ କରୁଥିବା ସେ ଜାଣିବାକୁ ପାଇଥିଲେ। ଏଥିସହ ଗୁଳି ବିନିମୟରୁ ସେ ଭୟଭୀତ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତିି ନେଇଥିଲେ । ଦଳ ତାଙ୍କୁ ନଜର ବନ୍ଦୀ କରି ରଖିଥିବାରୁ ସେ ସୁଯୋଗକୁ ଅପେକ୍ଷା କରିଥିଲେ । ଗତ ଡିସେମ୍ବର ୨୬ ତାରିଖରେ ସେ ସୁଯୋଗ ପାଇବା ମାତ୍ରେ ଆତ୍ମସମର୍ପଣ କରିଥିଲେ ।

ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ନାବାଳିକାଙ୍କୁ ସମସ୍ତ ସହୟତା ପ୍ରଦାନ କରାଯିବା ସହ ସମାଜର ମୁଖ୍ୟସ୍ରୋତକୁ ଫେରି ଆତ୍ମନିର୍ଭରଶୀଳ ହେବା ପାଇଁ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ ବୋଲି ଏସ୍‌ପି କହିଛନ୍ତି । ଅନେକ ମାଓବାଦୀ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ଦଳ ପକ୍ଷରୁ ପୁଲିସର ଏନ୍‌କାଉଣ୍ଟର ଭୟ ଦେଖାଯାଉଛି । ଦଳର ଏଭଳି ମିଥ୍ୟା ପ୍ରଚାରରୁ ଦୂରେଇ ରହି ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ । ସେମାନଙ୍କୁ ନିଶ୍ଚିତ ସରକାରଙ୍କ ଘୋଷିତ ଥଇଥାନ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରୋବେସନାରୀ ଓପିଏସ୍‌ ମନୋଜ ପୂଜାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *