ଗୋଟିଏ ଓଭରରେ ୩୪ ରନ୍‌: ଟି୨୦ରେ ଭାରତର ସବୁଠୁ ମହଙ୍ଗା ବୋଲର ହେଲେ ଶିବମ ଦୁବେ

ମାଉଣ୍ଟ ମାଉଁଗନୁଇ: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଯଦିଓ ଭାରତ ଜିତିଛି କିନ୍ତୁ ଅଲରାଉଣ୍ଡର ଶିବମ ଦୁବେଙ୍କ ପାଇଁ ଏହି ମ୍ୟାଚ୍‌ ସବୁଠୁ ଖରାପ ଥିଲା। ସେ ମ୍ୟାଚରେ ଏକ ଓଭରରେ ୩୪ ରନ ଦେଇଛନ୍ତି। ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ଓଭରରେ ସର୍ବାଧିକ ରନ ଦେବାରେ ଭାରତୀୟ ବୋଲର ହୋଇଛନ୍ତି। ଇନିଂସର ୧୦ମ ଓଭରରେ ୬, ୬, ୪, ୪, ୬, ୬ ରନ୍‌ ଦେଇଥିଲେ ଦୁବେ। ଉକ୍ତ ଓଭରରେ କ୍ରିଜ୍‌ରେ ଥିଲେ ରସ ଟେଲର ଓ ଟିମ ସିଫର୍ଟ। ସିଫର୍ଟ ପ୍ରଥମ ଦୁଇଟି ବଲରେ ଛକା ମାରିଥିଲେ ଏବଂ ତୃତୀୟ ବଲରେ ଚୌକା ମାରିଥିଲେ। ଏହା ପରେ ସେ ୧ ରନ ନେଇ ଟେଲରଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଟେଲର୍‌ ଏହା ପରେ ଦୁବେଙ୍କୁ ଆକ୍ରମଣ କରିଥିଲେ। ଟେଲର ପ୍ରଥମେ ନୋ’ ବଲରେ ଚୌକା ମାରିଥିଲେ। ଏହା ପରେ ପଞ୍ଚମ ଓ ଷଷ୍ଠ ବଲରେ ଲଗାତାର ଛକା ମାରିଥିଲେ। ଫଳରେ ଦୁବେଙ୍କ ଏହି ଓଭରରେ ୩୪ ରନ ହୋଇଥିଲା। ୨୦୧୬ରେ ଷ୍ଟୁଆର୍ଟ ବିନ୍ନି ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ଓଭରରେ ୩୨ ରନ ଦେଇଥିଲେ ଯାହାକୁ ଭାଙ୍ଗିଛନ୍ତି ଦୁବେ।

Leave a Reply

Your email address will not be published. Required fields are marked *