ଚଳିତ ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୪୩୭୩ କୋଟି : ଫୁଲବାଣୀକୁ ନୂଆ ଟ୍ରେନ୍‌ ଲାଇନ୍, ଖୋର୍ଦ୍ଧା-ବଲାଙ୍ଗୀରକୁ ଫୋକସ୍

ଭୁବନେଶ୍ୱର : ଓଡ଼ିଶା ଯେତିକି ଆଶା କରିଥିଲା, ତାଠାରୁ ମିଳିଲା କମ୍‌ । ରାଜ୍ୟର ରେଳ ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ରେଳ ବଜେଟଠାରୁ କମ୍‌ ଅର୍ଥ ବରାଦ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶାକୁ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୧୯-୨୦ ତୁଳନାରେ ୧୬୨୦ କୋଟି ଟଙ୍କା (୨୭%) କମ୍‌ ପାଣ୍ଠି ମିଳିଛି । ଗତ ଆର୍ଥିକ ବର୍ଷ ବଜେଟରେ ଓଡ଼ିଶା ପାଇଁ ୫ହଜାର ୯୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ସେହିଭଳି ପୂର୍ବତଟ ରେଳପଥ ପାଇଁ ମୋଟ ୫୮୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯାହା ପୂର୍ବ ବର୍ଷ ତୁଳନାରେ ୧ହଜାର ୧୪୫ କୋଟି ଟଙ୍କା କମ୍‌ ।

ଚଳିତ ବଜେଟ୍‌ରେ ସମ୍ବଲପୁର- ଗୋପାଳପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ୨୪୧ କିଲୋମିଟର ରେଳ ଲାଇନ ପାଇଁ ରେଳ ମନ୍ତ୍ରାଳୟ ୨୯୫୭ କୋଟି ଟଙ୍କାର ପ୍ରକଳ୍ପ ଅଟକଳକୁ ରେଳବାଇ ମଞ୍ଜୁରୀ ଦେଇଛି । ଯାହା ନୀତି ଆୟୋଗର ଚୂଡାନ୍ତ ଅନୁମୋଦନ ଲାଭ କରିବା ପରେ କାର୍ଯ୍ୟକାରୀ ହେବ । ରାଜ୍ୟରେ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଅପେକ୍ଷାକୃତ ଅଧିକ ପାଣ୍ଠି ବରାଦ କରାଯାଇଛି ।

ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବଜେଟରେ କେନ୍ଦ୍ରରୁ ଅଧିକ ଅର୍ଥ ପାଇବାକୁ ରାଜ୍ୟ ସରକାର ବିଭିନ୍ନସ୍ତରରେ ଯଥେଷ୍ଟ କସରତ କରିଥିଲେ । ଓଡ଼ିଶାରେ ରେଳ ନେଟ୍‌ୱର୍କ କମ୍‌ ଥିବାରୁ ଗତବର୍ଷ ତୁଳନାରେ ଅଧିକ ପାଣ୍ଠି ବରାଦ କରିବାକୁ ଅନୁରୋଧ କରିଥିଲେ । ରାଜ୍ୟର ସମସ୍ତ ବଡ଼ ପ୍ରକଳ୍ପ ବାବଦରେ ବ୍ୟୟବରାଦରେ ଆଖିଦୃଶିଆ ବୃଦ୍ଧି କରାଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ରେଳ ପ୍ରକଳ୍ପ ପାଇଁ ପାଣ୍ଠି ବ୍ୟବସ୍ଥା ହୋଇଛି । ପ୍ରତି ପ୍ରକଳ୍ପର ସମୀକ୍ଷା କରି ପାଣ୍ଠି ଅନୁମୋଦନ କରାଯାଇଛି । ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳ ଲାଇନ୍‌କୁ ସର୍ବାଧିକ ୫୨୦ କୋଟି ଟଙ୍କା ମିଳିଛି । ଗତ ବର୍ଷ ଏହି ପ୍ରକଳ୍ପ ବାବଦରେ ମାତ୍ର ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଚଳିତ ବର୍ଷ ୧୭୦ କୋଟି ଟଙ୍କା ଅଧିକ ଦିଆଯାଇଛି । ନିକଟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ରେଳଲାଇନ୍‌ ନେଇ ସମୀକ୍ଷା କରି ପୂର୍ଣ୍ଣାଙ୍ଗ କରିବା ଉପରେ ଜୋର ଦେଇଥିଲେ । ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବାରେ ଏହି ପ୍ରକଳ୍ପର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ସେହିପରି ବଜେଟରେ ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ୪୫୦ କୋଟି ଟଙ୍କା ବରାଦ କରାଯାଇଛି । ଗତ ବର୍ଷ ଏହି ପ୍ରକଳ୍ପକୁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ହରିଦାସପୁର-ପାରଦୀପ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ । ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ଥିବାରୁ ମାତ୍ର ଶହେ କୋଟି ଟଙ୍କା ପାଣ୍ଠି ଦିଆଯାଇଛି । ଗତ ବର୍ଷ ଏହି ପ୍ରକଳ୍ପ ବାବଦରେ ୪ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଦ୍ୱିତୀୟ ରେଳ ଲାଇନ୍‌ ପାଇଁ ମଧ୍ୟ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସେଗୁଡିକ ହେଲା ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ରାୟଗଡ଼ା ଓ ଟିଟିଲାଗଡ଼-ରାୟପୁର ଦ୍ୱିତୀୟ ଲାଇନ ପାଇଁ ଅଧିକ ବ୍ୟୟବରାଦ କରାଯାଇଛି ।

ଚଳିତ ବର୍ଷ ଖୋର୍ଦ୍ଧା ରୋଡ୍‌ – ବଲାଙ୍ଗୀର ରେଳ ଲାଇନ୍‌ ଓ ଲାଞ୍ଜିଗଡ଼ ରୋଡ୍‌ -ଜୁନାଗଡ଼ ରେଳ ଲାଇନ ବିଦ୍ୟୁତିକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସମ୍ବଲପୁର ନିକଟସ୍ଥ ମାନେଶ୍ୱରରେ ନୂଆ ୱାଗନ୍‌ ରିପ୍ୟାରିଂ ୱାର୍କସପ୍‌ ପାଇଁ ୨୦ କୋଟି ଟଙ୍କା ବରାଦ କରାଯାଇଛି । ନିରାପତ୍ତାକୁ ଦୃଷ୍ଟିରେ ରଖି ଲେବଲ୍‌ କ୍ରସିଂ ଉଚ୍ଛେଦ କରି ରୋଡ୍‌ ଓଭରବ୍ରିଜ୍‌(ଆରଓବି) ଓ ରୋଡ୍‌ ଅଣ୍ଡରବ୍ରିଜ୍‌ ନିର୍ମାଣ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏ ବାବଦରେ ୧୧୬୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରେଳ ମନ୍ତ୍ରାଳୟ ପାଣ୍ଠି ବରାଦ କରିଛି ।

ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟରେ କମ୍‌ ପାଣ୍ଠି ବରାଦ ନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କିଛି ପ୍ରକଳ୍ପ ଶେଷ ହେବା ଉପରେ । ତେଣୁ ସେ ପ୍ରକଳ୍ପ ପାଇଁ ଅଧିକ ପାଣ୍ଠି ଆବଶ୍ୟକତା ନଥିବାରୁ ବରାଦ ପାଣ୍ଠି କମ୍‌ ରହିଛି । ସେହିଭଳି ଗତ ବର୍ଷ ଝାରସୁଗୁଡ଼ା-ବରପାଲି ରେଳ ପ୍ରକଳ୍ପ ସଂଯୋଗ ପାଇଁ ଏନଟିପିସି ୧୪ଶହ କୋଟି ଟଙ୍କା ଦେଇଥିଲା । ଯାହାକୁ ବାଦ ଦେଲେ ଓଡ଼ିଶାକୁ ରେଳ ମନ୍ତ୍ରଣାଳୟ ଗତ ବଜେଟରେ ୪୫୯୩ କୋଟି ଟଙ୍କା ବରାଦ କରିଥିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସଫେଇ ଦିଆଯାଇଛି । ଅପରପକ୍ଷେ ଉକ୍ତ ପ୍ରକଳ୍ପର କାମ ସରିଥିବାରୁ ଚଳିତ ବର୍ଷ ଏନଟିପିସି ପକ୍ଷରୁ କୌଣସି ପାଣ୍ଠି ବିନିଯୋଗର ଯୋଜନା ନାହିଁ । ରାଜ୍ୟର ରେଳ ପ୍ରକଳ୍ପରେ ତୃଣମୂଳସ୍ତରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଣ୍ଠି ବରାଦ କରାଯାଇଛି ବୋଲି ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *