୧୪ରେ ଆସିବ ଚୁମ୍ବକ୍

‘ଚୁମ୍ବକ୍’ରେ ଚୁମ୍ବନକୁ ନେଇ ଭାରି ଚର୍ଚ୍ଚା । ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସ ଏବେ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ଯାହାର ଫୋଟୋ ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଚର୍ଚ୍ଚାର ଖୋରାକ୍ ଯୋଗାଉଛି । ତମନ୍ନା ମଧ୍ୟ ଏହାର ଖୁଲାସା କରିଛନ୍ତି । ଓଲିଉଡର ଆଉ ଜଣେ ଅଭିନେତ୍ରୀ ଦିବ୍ୟାଦିଶାଙ୍କ ସହ ତାଙ୍କର ସମଲିଙ୍ଗୀ ପ୍ରେମ ସମ୍ପର୍କ ଅଛି ବୋଲି ସ୍ୱୀକାର କରିଛନ୍ତି । କାହିଁକି ନା ଦୁହିଁଙ୍କ ଅଭିନୀତ ଏକ ନୁଆଁ ୱେବସିରିଜ୍ ‘ଚୁମ୍ବକ୍’ ରିଲିଜ୍ ହେବାକୁ ଯାଉଛି । ଯେହେତୁ ଏହାର କାହାଣୀ ସେହିଭଳି ଦିଗ ଉପରେ ଆଧାରିତ ରହିଛି, ତେଣୁ ଦୁହେଁ ସମଲିଙ୍ଗୀ ଭୂମିକାରେ ନଜର ଆସିବେ । ୱେବସିରିଜ୍ ଟି ଆସନ୍ତା ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ୍ ଡେ ରେ ରିଲିଜ୍ ହେବ । ‘ତରଙ୍ଗ ପ୍ଲସ୍’ ଆପ୍ଳିକେସନରେ ଦର୍ଶକ ଏହାକୁ ଦେଖିବାକୁ ସୁଯୋଗ ପାଇବେ । କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଦର୍ଶକମାନଙ୍କୁ ଦେଖିବାକୁ ନିବେଦନ କରାଯାଇଛି । ଏହି ୱେବ୍ ସିରିଜ୍ ଦେଖି ମତାମତ ଦେବାକୁ ତମନ୍ନା କହିଛନ୍ତି । ଏହାରି ମାଧ୍ୟମରେ ବହୁତ କିଛି ପରିବର୍ତ୍ତନର ଆଶା ରଖିଛନ୍ତି । ସମାଜରେ ସମଲିଙ୍ଗୀ ସମ୍ପର୍କକୁ ଭିନ୍ନ ଦୃଷ୍ଟିରେ ଲୋକେ ଦେଖୁଥିବା ବେଳେ ଏହିଭଳି ଏକ କାହାଣୀରେ ଅଭିନୟ କରିବା ବହୁତ ବଡ ଆହ୍ୱାନ ଥିଲା ବୋଲି ସେ କହିଛନ୍ତି ।

ତରଙ୍ଗ ପ୍ଲସର ଏହା ପ୍ରଥମ ୱେବ୍ ସିରିଜ୍ । ଯାହାର ବିଷୟବସ୍ତୁ ସମଲିଙ୍ଗୀ ସମ୍ପର୍କ ଉପରେ ପର୍ଯ୍ୟବେସିତ । ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ୱେବ୍ ସିରିଜ୍ ର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ରେହା ଆନନ୍ଦ । ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ସଂଳାପ ଲେଖିଛନ୍ତି ବି. ଚନ୍ଦନ କୁମାର । କ୍ୟାମେରା ପରିଚାଳନା କରିଛନ୍ତି ଶୁଭ୍ରାଂଶୁ ଦାସ୍ । ସମ୍ପାଦନା କରିଛନ୍ତି ସୁକୁମାର ମଣି ଏବଂ ସଂଗୀତ ଦେଇଛନ୍ତି ଗୁଡଲି ରଥ । କାଷ୍ଟିଂ ଡାଇରେକ୍ଟର ଭୂମିକା ନିର୍ବାହ କରିଛନ୍ତି ଅଭିନେତା ତ୍ରିଭୁବନ ପଣ୍ଡା । ପ୍ରଡକ୍ସନ୍ ଡିଜାଇନରେ ବିକ୍ରମ ଦାସ, ପ୍ରଯୋଜନାରେ ଅଜୟ କୁମାର ରାଉତ, ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦେବୀଦତ୍ତ ମହାନ୍ତି ଏବଂ କ୍ରିଏଟିଭ୍ ହେଡ୍ ଭାବେ ରଞ୍ଜନ ଶତପଥୀ କାର୍ଯ୍ୟ କରିଛନ୍ତି । ପ୍ରମୁଖ ଭୂମିକାରେ ତମନ୍ନା, ଦିବ୍ୟା, ସାନୁ, ଆର୍ଯ୍ୟନ୍, ଅନନ୍ୟା ଅଭିନୟ କରିଛନ୍ତି । ସହଯୋଗୀ କଳାକାର ଭାବେ ନମିତା ଦାଶ, ଆରତୀ, ତେଜସ୍ୱିନ୍, ଦିଲୀପ ଚୌଧୁରୀ, ଲୀଳା ମିଶ୍ର, ସାହେବ୍, ରାଜା ପ୍ରମୁଖ ରହିଛନ୍ତି ।

Leave a Reply

Your email address will not be published. Required fields are marked *