ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଶ୍ରେୟସଙ୍କ ଶତକ ବେକାର, ୪ ଓ୍ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ : ହାମିଲଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ୪ ଓ୍ୱିକେଟରେ ବିଜୟ ହାସଲ କରିଛି। ଭାରତ ଦେଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ କିଓ୍ୱି ୪୮.୧ ଓଭରରେ ହାସଲ କରିନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଓପନର ଭାବେ ପୃଥ୍ୱୀ ଶ ଓ ମୟଙ୍କ ଅଗ୍ରଓ୍ୱାଲ ପଡିଆକୁ ଓହ୍ଲାଇଥିଲେ। ଦୁହେଁ ଧର୍ଯ୍ୟର ସହ ବ୍ୟାଟିଂ କରି ଓପନର ଭାବେ ୫୦ ରନର ପାର୍ଟନରସିପ୍ କରିଥିଲେ। ପରେ ଉଭୟ ପ୍ୟାଭିଲିୟନ ଫେରିଥିଲେ। ପୃଥ୍ୱୀ ୨୦ ରନ କରିଥିବା ବେଳେ ମୟଙ୍କ ୩୨ ରନ କରିଥିଲେ। ତେବେ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରି ଶତକ ପୂରଣ କରିଥିଲେ। ସେ ୧୦୩ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ କୋହଲି ୫୧ ଓ କେଏଲ ରାହୁଲ ବିସ୍ଫୋରକ  ୮୮ ରନ କରିଥିଲେ। ଏହାସହ ଦଳ ନିର୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ ହରାଇ ୩୪୭ ରନ କରିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଇଦି ୨ଟି, କୋଲିନ ଡି ଗ୍ରାଣ୍ଡହୋମ ଓ ଇସ୍ ସୋଢୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା। ମାର୍ଟିନ୍ ଗୁପ୍ଟିଲ ଓ ହେନରି ନିକୋଲସ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ଆଉଟ ହେବା ପରେ ରସ ଟେଲର ସ୍ଥିତି ସମ୍ଭାଳିଥିଲେ। , ସେ ଟମ୍ ଲାନ୍ଥନଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ। ରସ ଟେଲର ୧୦୯ ରନ କରିଥିବା ବେଳେ ଟମ୍ ୬୯ ରନ କରିଥିଲେ। ଫଳରେ ଦଳ ୬ ଓ୍ୱିକେଟ ହରାଇ ୪୮.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଭାରତ ପକ୍ଷରୁ କୁଳଦୀପ ଯାଦବ ୨ଟି, ମହମ୍ମଦ ସାମି ଓ ଶର୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।  

Leave a Reply

Your email address will not be published. Required fields are marked *