
କଟକ : ନୂଆ ଇତିହାସ ରଚିଛି କଟକ ବଡ଼ ଡାକ୍ତରଖାନା । ସଫଳ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶାର ପ୍ରଥମ ‘କାଡାଭରିକ୍ ଟ୍ରାନ୍ସ୍ପ୍ଲାଣ୍ଟ୍’ । ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରି ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କଠାରେ ସଫଳ ଭାବେ ପ୍ରତିରୋପଣ କରାଯିବାର ଏହି ଜଟିଳ ଚିକିତ୍ସା ପ୍ରକ୍ରିୟାକୁ ସଫଳତାର ସହ ସଂପନ୍ନ କରିଛନ୍ତି ଏସ୍ସିବିର ବିଶେଷଜ୍ଞ ଡାକ୍ତରୀ ଟିମ୍ । ଦୀର୍ଘ ଚଉଦ ଘଣ୍ଟାର ଏ ଲମ୍ବା ଅଭିଯାନ ଓ ‘ଅଙ୍ଗଦାନ-ପ୍ରତିରୋପଣ ପ୍ରକ୍ରିୟା’ ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଡାକ୍ତରୀ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୋମବାର ମଧ୍ୟରାତ୍ରିରୁ ମଙ୍ଗଳବାର ଭୋର୍ଯାଏ ଜାରି ରହିଥିବା ଏ ବିରଳତମ ଅସ୍ତ୍ରୋପଚାରରେ ନୂଆ ଜୀବନ ପାଇଛନ୍ତି ବରଗଡ଼ ଜିଲ୍ଲା ଅତାବିରା କୁହୁଣ୍ଡାର ଫିରୋଜ ସାହୁ । ଫିରୋଜଙ୍କର ଦୁଇଟିଯାକ କିଡ୍ନୀ ଅକାମୀ ହୋଇଯାଇଥିଲା । ଅପରପକ୍ଷରେ, କିଡ୍ନୀ ଦାନ କରି ମୃତ୍ୟୁ ପରେ ମଧ୍ୟ ଅମର ହୋଇଯାଇଛନ୍ତି ଗଂଜାମ ଜିଲ୍ଲା ଦିଗପହଣ୍ଡିର ବାସିନ୍ଦା ଶ୍ରୀମତୀ ପି. ପ୍ରିୟଙ୍କାରାଣୀ ପାତ୍ର (୨୨) । ‘କାଡାଭର୍’ ବା ‘ମୃତ ଡୋନର୍’ ଭାବେ ତାଙ୍କ ଶରୀରରୁ ଗୋଟିଏ କିଡ୍ନୀ ଅଣାଯାଇ ଫିରୋଜଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ଫିରୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଏସ୍ସିବି ପକ୍ଷରୁ କୁହାଯାଇଛି ।
ଯଦିଓ ସୋମବାର ମଧ୍ୟରାତ୍ରରେ କିଡ୍ନୀ କଢ଼ାଯିବାର ପ୍ରକ୍ରିୟା ସଂପାଦିତ ହୋଇଥିଲା, ତେବେ ଅପରାହ୍ନରୁ ହିଁ ଆରମ୍ଭ ହୋଇଥିଲା ଏ ଅଭିଯାନର ପ୍ରସ୍ତୁତି । ଏପରିକି, ଯଦି ସବୁକିଛି ଠିକ୍ଠାକ୍ ରହେ, ତେବେ ଆଜି (ଅର୍ଥାତ୍ ମଙ୍ଗଳବାର) ସକାଳକୁ କାଡାଭରିକ୍ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟେସନ୍ର ଏ ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲେଖା ସରିଥିବ ବୋଲି ପୂର୍ବାନୁମାନ ବି କରାଯାଉଥିଲା । ତେବେ ଆଶା-ଆଶଙ୍କା ଲାଗି ରହିଥିଲା ଏ ଅଭିଯାନର ସଫଳତାକୁ ନେଇ । ଶେଷରେ କିନ୍ତୁ ସବୁ ଆଶଙ୍କାର ଅନ୍ତ ଘଟିଛି³ ‘ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ’ ଭଳି ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ରାଜ୍ୟକୁ ତଥା ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ୍ କଲେଜ ହସପିଟାଲ୍କୁ ସଫଳତା ମିଳିଛି ।
ରାଜ୍ୟ ଚିକିତ୍ସା ବିଜ୍ଞାନ ଇତିହାସରେ ସଫଳତାର ଏହି ନୂଆ ଅଧ୍ୟାୟ ଲେଖିବା ପାଇଁ ଦୀର୍ଘ ୧୪ ଘଣ୍ଟା ଧରି ଚାଲିଥିଲା ଅଭିଯାନ । ସୋମବାର ଅପରାହ୍ନ ସାଢ଼େ ୫ଟାରୁ ଆରମ୍ଭ ହୋଇଥିବା ଅଭିଯାନ ଶେଷ ହୋଇଥିଲା ଆଜି ଅର୍ଥାତ ମଙ୍ଗଳବାର ସକାଳ ସାଢ଼େ ୭ଟାରେ । ସୋମବାର ଅପରାହ୍ନ ସାଢ଼େ ୫ଟାରେ ଖବର ମିଳିଲା, ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପି. ପ୍ରିୟଙ୍କାରାଣୀ ପାତ୍ରଙ୍କର ବ୍ରେନ୍ ଡେଡ୍ ଅବସ୍ଥା ବା ମସ୍ତିଷ୍କ ମୃତ ଅବସ୍ଥା ହୋଇଯାଇଛି । ତେବେ ମସ୍ତିଷ୍କ ବ୍ୟତୀତ ତାଙ୍କ ଶରୀରର ଅନ୍ୟ ଅଙ୍ଗଗୁଡିକ ଜୀବିତ, ସକ୍ରିୟ ଥିବାରୁ ଅଙ୍ଗଦାନ ପାଇଁ ଖବର ଦିଆଗଲା ଏସ୍ସିବି ମେଡିକାଲ୍ରେ ଥିବା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ୍ ଅର୍ଗାନାଇଜେସନ୍ (ସୋଟୋ)କୁ । ସୋଟୋ ନିକଟରେ ଖବର ପହଞ୍ଚିବା ମାତ୍ରେ ସଂସ୍ଥାର ନୋଡାଲ୍ ଅଫିସ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ପହଞ୍ଚି ଯାଇଥିଲେ ଆପୋଲୋ ହସ୍ପିଟାଲ୍ରେ ।
ଆପୋଲୋ ହସ୍ପିଟାଲ୍ ଡାକ୍ତରୀ ଟିମ୍ ଦୁଇଟି ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରି ପ୍ରିୟଙ୍କାରାଣୀ ପାତ୍ରଙ୍କର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ମୃତକଙ୍କଠାରୁ କେଉଁ ଅଙ୍ଗ କଢ଼ାଯାଇ ଅନ୍ୟ କେଉଁ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ ସେକଥା ନିଷ୍ପତ୍ତି ନେଇଥିଲା ସୋଟୋ । କାଡ଼ାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍କୁ ନେଇ ଏସ୍ସିବି ମେଡିକାଲର ୟୁରୋଲୋଜି ବିଭାଗ, ନେଫ୍ରୋଲୋଜି ବିଭାଗ, ଡିଏମ୍ଇଟି ଓ କୋଲକାତାସ୍ଥିତ ରିଜିଓନାଲ୍ ଆର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ୍ ଆର୍ଗାନାଇଜେସନ୍ (ରୋଟୋ) ମଧ୍ୟରେ ଆଇନଗତ ଦିଗ ସମ୍ପର୍କରେ ବିଚାର ବିମର୍ଶ ବି କରାଯାଇଥିଲା । କିପରି ମୃତକଙ୍କଠାରୁ ଜୀବିତ ଅଙ୍ଗ ସଂଗ୍ରହ କରାଯାଇ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ ସେ ନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ୍ ।
ଅପରାହ୍ନ ସାଢ଼େ ୫ଟାରୁ ରାତି ସାଢ଼େ ୧୦ଟା ମଧ୍ୟରେ ସରକାରୀ ସ୍ତରରେ ସମସ୍ତ ଅନୁମତି ଆଦି ମିଳିଯିବା ପରେ, ଅପରେସନ୍ ପାଇଁ ପ୍ରସ୍ତୁତି କରିଥିଲା ଏସ୍ସିବି ୟୁରୋଲୋଜି ବିଭାଗ । ରାତି ପ୍ରାୟ ୧୧ଟାରେ ଦ୍ୱିତୀୟବାର ପରୀକ୍ଷା କରି ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ପ୍ରିୟଙ୍କାଙ୍କୁ । ତାପରେ ବିଳମ୍ବିତ ରାତିରେ ଏସ୍ସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଓ ତାଙ୍କ ଟିମ୍ ଆପୋଲା ହସ୍ପିଟାଲରେ ପହଞ୍ଚି ମୃତକଙ୍କଠାରୁ କିପରି କିଡ୍ନୀ ସଂଗ୍ରହ କରାଯିବ ଏବଂ ତାହାକୁ କିପରି ତୁରନ୍ତ ସୁରକ୍ଷିତ ସ୍ୱତନ୍ତ୍ର ପଦ୍ଧତିରେ ସଂରକ୍ଷିତ କରି ଅଣାଯାଇ ଏସ୍ସିବି ୟୁରୋଲିଜି ବିଭାଗରେ ପହଞ୍ଚାଯିବ, ସେନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ । ସଂଗୃହୀତ କିଡ୍ନୀ ଯେଉଁ ରୋଗୀ (ଫିରୋଜ)ଙ୍କ ଦେହରେ ପ୍ରତିରୋପଣ କରାଯିବ ତାଙ୍କର ମଧ୍ୟ ଆବଶ୍ୟକ ପ୍ରାକ୍ ଚିକିତ୍ସା କରାଯାଇଥିଲା । ଗୋଟିଏ ଟିମ୍ ଆପୋଲୋ ହସ୍ପିଟାଲରେ ରହିଥିବା ବେଳେ ଆଉ ଏକ ଟିମ୍ ୟୁରୋଲୋଜି ବିଭାଗରେ ସଜାଗ ରହିଥିଲେ ।
ଆପୋଲୋ ହସ୍ପିଟାଲରୁ ଏସ୍ସିବି ଡାକ୍ତରଖାନା.. ଦୁଇ ଡାକ୍ତରଖାନା ମଧ୍ୟରେ ଦୀର୍ଘ ୨୭ କିଲୋମିଟରର ଦୂରତା ଥିଲେ ମଧ୍ୟ ଉଭୟ ଟିମ୍ ମଧ୍ୟରେ ସମନ୍ୱୟ ରଖାଯାଇ ସମାନ୍ତରାଳ ଭାବେ ଚାଲିଥିଲା ପ୍ରସ୍ତୁତି । ଶେଷରେ ଭୋର୍ ୪ଟା ୧୦ରେ ସରିଥିଲା କିଡ୍ନୀ ଉଦ୍ଧାର । ଭୋର୍ ପ୍ରାୟ ୫ଟା ୧୫ରେ ଏସ୍ସିବି ୟୁରୋଲୋଜି ବିଭାଗରେ ପହଞ୍ଚିଥିଲା ପ୍ରିୟଙ୍କାଙ୍କ ଜୀବିତ ତଥା ସକ୍ରିୟ କିଡ୍ନୀ । ଅନ୍ୟପକ୍ଷରେ, କିଡ୍ନୀ ଅପେକ୍ଷାରେ ଥିବା ଫିରୋଜ ସାହୁଙ୍କୁ ଓଟିକୁ ନିଆଯାଇଥିଲା । ପ୍ରଫେସର ହୋତାଙ୍କ ପାଞ୍ଚ ଜଣିଆ ଟିମ୍ରେ ଥିବା ୟୁରୋଲୋଜି ବିଶେଷଜ୍ଞମାନେ ଅପରେସନ୍ କରି କିଡ୍ନୀ ପ୍ରତିରୋପଣ କରିଥିଲେ । ଅପରେସନ୍ ଦୀର୍ଘ ଅଢେଇ ଘଣ୍ଟା କାଳ ଚାଲିଥିଲା । ମଙ୍ଗଳବାର ସକାଳ ସାଢେ ୭ଟା ବେଳକୁ ପ୍ରତିରୋପଣ ଶେଷ ହୋଇ କିଡ୍ନୀ ଠିକ୍ଠାକ୍ କାମ କରୁଥିବା ଏବଂ ଫିରୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଦେଖିବା ପରେ ଶାନ୍ତିର ନିଶ୍ୱାସ ମାରିଥିଲେ ୟୁରୋଲୋଜି ଓ ନେଫ୍ରୋଲୋଜି ବିଶେଷଜ୍ଞ ଡାକ୍ତରୀ ଟିମ୍ । ଦୀର୍ଘ ୧୪ ଘଣ୍ଟାର ଅଭିଯାନ ସେତେବେଳକୁ ସଫଳ ହୋଇସାରିଥିଲା.. ।