
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ଚଳିତ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଗତ ମାସରେ ନେଦରଲାଣ୍ଡସ ସହ ଖେଳି ବିଜୟୀ ହୋଇଥିଲା । ପୁଣି ଶନିବାର ଦଳ ବିଶ୍ୱର ଏକ ନଂ ଦଳ ବେଲଜିୟମକୁ ପ୍ରଥମ ମ୍ୟାଚ୍ରେ ପରାଜିତ କରିଛି । ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ ।
ବେଲଜିୟମ ବିପକ୍ଷରେ ହ୍ୟାଟ୍ରିକ୍
ପୂର୍ବ ରେକର୍ଡ ଅନୁସାରେ ଭାରତୀୟ ଦଳ କଳିଙ୍ଗ ଷ୍ଟାଡିୟମରେ ବେଲଜିୟମ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିଅନ୍ସ ଟ୍ରଫି ଖେଳାଯାଇଥିଲା । ଡିସେମ୍ବର ୧୧ ତାରିଖରେ ବେଲଜିୟମ ଓ ଭାରତ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ଭାରତ ଏହି ମ୍ୟାଚ୍ରେ ୪-୨ ଗୋଲରେ ବିଜୟୀ ହୋଇଥିଲା । ୨୦୧୭ରେ ଏଫ୍ଆଇଏଚ୍ ବିଶ୍ୱ ଲିଗ୍ ଫାଇନାଲ୍ରେ ଭାରତ-ବେଲଜିୟମ ଦ୍ୱିତୀୟ ଥର ମୁହାଁମୁହିଁ ହୋଇଥିଲେ । ଡିସେମ୍ବର ୬ ତାରିଖରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍ ପ୍ରଥମେ ୩-୩ ଗୋଲରେ ଅମୀମାଂସିତ ରହିଥିଲା । ଏହାପରେ ଭାରତ ପେନାଲ୍ଟି ସୁଟ୍ ଆଉଟ୍ରେ ୩-୨ ଗୋଲରେ ମ୍ୟାଚ୍ ଜିତି ନେଇଥିଲା । ୨୦୧୮ ବିଶ୍ୱକପ୍ରେ ପୁଣି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଡିସେମ୍ବର ୨ ତାରିଖରେ ଅନୁଷ୍ଠିତ ଏହି ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା ।
ଭାରତ ବେଲଜିୟମ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ବେଲଜିୟମ ୫ଟି ମ୍ୟାଚ୍ରୁ ୩ଟି ବିଜୟ, ଗୋଟିଏ ଡ୍ର’ ଏବଂ ଗୋଟିଏ ପରାଜିତ ହୋଇ ମୋଟ୍ ୧୧ ପଏଣ୍ଟ ସହ ପ୍ରଥମ ସ୍ଥାନ, ଭାରତ ୩ଟିରୁ ୩ଟିରେ ବିଜୟୀ ହୋଇ ମୋଟ୍ ୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଏବଂ ନେଦରଲାଣ୍ଡସ ୪ଟି ମ୍ୟାଚ୍ରୁ ୨ଟି ବିଜୟ, ଗୋଟିଏ ଡ୍ର’ ଏବଂ ଗୋଟିଏ ପରାଜୟ ସହ ୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।
ଭାରତ ୨-୧ ବେଲଜିୟମ
ବର୍ଷା ପାଗରେ ବାଜି ମାରିଥିଲ ଘରୋଇ ଦଳ । ହଠାତ ଦୁଇ ଦିନ ମଧ୍ୟରେ ବିଶ୍ୱର ଏକ ନଂ ଦଳ ବେଲଜିୟମ ଏଠାକାର ପାଣିପାଗ ସହ ଖାପ ଖୁଆଇ ପାରି ନଥିଲା । ଯାହାର ଭରପୁର ଫାଇଦା ଘରୋଇ ଦଳକୁ ମିଳିଥିଲା । ଯୋଜନା ମୁତାବକ ଆରମ୍ଭରୁ ଭାରତ ଆକ୍ରମଣ କରି ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରଥମ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦ୍ୱିତୀୟ ମିନିଟ୍ରେ ସାଥୀ ଖେଳାଳିଙ୍କ ପାସ୍କୁ ଅତି ଚମତ୍କାର ଢଙ୍ଗରେ ବିପକ୍ଷ ଗୋଲପୋଷ୍ଟ୍ରେ ପୂରାଇବାରେ ସଫଳ ହୋଇଥିଲେ ମନଦୀପ ସିଂ । ପ୍ରଥମ କ୍ୱାର୍ଟରରେ ଭାରତ ୧-୦ ଗୋଲରେ ଅଗ୍ରଣୀ ରହିଥିଲା । ଦ୍ୱିତୀୟ କ୍ୱାର୍ଟର ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । କେହି ଗୋଲ୍ ସୁଯୋଗ ପାଇ ନଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ଗୋଟିଏ ଗୋଲରେ ଅଗ୍ରଣୀ ରହିଥିଲା ।
ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତୀୟ ଖେଳାଳି ତ୍ରୁଟି କରି ବସିଥିଲେ । ଫଳରେ ବେଲଜିୟମ ମିଳିଥିଲା ପେନାଲ୍ଟି କର୍ଣ୍ଣନ । ଯାହାର ସଫଳ ରୂପାୟନ କରିବାରେ ଦଳ ଆଦୌ ତ୍ରୁଟି କରି ନଥିଲା । ଗୌଥିର ବୋକାର୍ଡ ଏହି ଗୋଲଟି ସ୍କୋର କରିଥିଲେ । ଏହି କ୍ୱାର୍ଟରରେ ସ୍ଥିତି ୧-୧ରେ ବରାବର ହୋଇଥିଲା । ଶେଷ କ୍ୱାର୍ଟରରେ ଖେଳର ମୋଡ଼ ବଦଳି ଯାଇଥିଲା । ଭାରତ ଆରମ୍ଭରୁ ଏକ ପେନାଲ୍ଟି କର୍ଣ୍ଣରକୁ (୪୬ ମିନିଟ୍, ରମଣଦୀପ ସିଂ) ଗୋଲରୂପ ଦେଇ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା । ବେଲଜିୟମ ବହୁ ପ୍ରୟାସ କରି ମଧ୍ୟ ସ୍ଥିତି ବରାବର କରିବାରେ ବିଫଳ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଭାରତ ରକ୍ଷଣାତ୍ମକ ପ୍ରଦର୍ଶନ କରି ପରିଶେଷରେ ମ୍ୟାଚ୍ ହାତରୁ ଖସି ଯାଇଥିଲା ।
ମ୍ୟାଚ୍ର ପରିସଂଖ୍ୟାନ
ପରିସଂଖ୍ୟାନ ଅନୁସାରେ ବେଲଜିୟମର ପ୍ରଦର୍ଶନ ଭଲ ରହିଥିଲା । ଭାରତର ପାସ୍ ଆକ୍ୟୁରେସି ୫୮.୨୫ ଧ ଓ ବେଲଜିୟମର ୭୦.୦୦% ଥିଲା । ଭାରତର ସର୍କଲ ଏଣ୍ଟ୍ରି ୧୮ ଥିବାବେଳେ ବେଲଜିୟମର ଥିଲା ୪୦ । ମ୍ୟାଚ୍ରେ ଭାରତକୁ ମୋଟ୍ ୪ଟି ପେନାଲ୍ଟି ମିଳିଥିବାବେଳେ ବେଲଜିୟମକୁ ୧୩ଟି ।
୨୦୧୩ ପରଠାରୁ ଭାରତ ଓ ବେଲଜିୟମ ମଧ୍ୟରେ ମୋଟ୍ ୨୧ଟି ମ୍ୟାଚ୍ ଖେଳାଯାଇଛି । ଭାରତ ୭ଟି ଜିତିଥିବାବେଳେ ବେଲଜିୟମ ୧୨ଟି ଏବଂ ୨ଟି ମ୍ୟାଚ୍ ଡ୍ର’ ରହିଛି । ଭାରତ ମୋଟ୍ ମ୍ୟାଚ୍ରୁ ୩୯ଟି ଗୋଲ ଓ ବେଲଜିୟମ ୪୫ଟି ଗୋଲ୍ ସ୍କୋର କରିଛି ।