
ମେଲବର୍ଣ୍ଣ: ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଭାରତୀୟ ମହିଳା ଟିମ୍ ଚଳିତ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। ଶନିବାର ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ଉଜ୍ଜୀବିତ ହୋଇଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ୍ କାଟିବାକୁ ହେଲେ ପରବର୍ତ୍ତୀ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ଯଦି ଏହି ମ୍ୟାଚରେ ଅଷ୍ଟ୍ରେଲିଆ ହାରିଯାଏ, ତାହେଲେ ଭାରତ ଫାଇନାଲରେ ପହଞ୍ଚିଯିବ।ଶନିବାର ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ଥିଲା। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆଶଲେ୍ ଗାର୍ଡନରଙ୍କ ବିସ୍ଫୋରକ ୯୩ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା।
ଜବାବରେ ଭାରତ ପକ୍ଷରୁ ଦୁଇ ଓପ୍ନର ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନା ଜବରଦସ୍ତ ବ୍ୟାଟିଂ କରି ବିଜୟର ମୂଳଦୁଆ ପକାଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୮୫ ରନ୍ ଯୋଡ଼ିଥିଲେ। ଶେଫାଳୀ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୨୮ ବଲରେ ୮ ଚୌକା ଓ ୧ ଛକା ସହ ୪୯ ରନର ଇନିଂସ୍ ଖେଳିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ମଧ୍ୟ ଦ୍ରୁତ ୩୦ (୧୯ ବଲ୍, ୫ ଚୌକା) ରନ୍ କରି ଭାରତ ଉପରକୁ ଚାପ ହଟାଇଥିଲେ।
ମନ୍ଧାନା କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୨ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନର୍ଶିପ୍ କରିଥିଲେ।
ମନ୍ଧାନା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ମାରିବା ପରେ ନିକୋଲା କ୍ୟାରୀଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ମନ୍ଧାନା ୪୯ ବଲରେ ୭ ଚୌକା ସହାୟତାରେ ୫୫ ରନ୍ କରିଥିଲେ। ଏହା ପରେ ହରମନପ୍ରୀତ୍ (୨୦) ଓ ଦୀପ୍ତି ଶର୍ମା (୧୧) ଅପରାଜିତ ରହି ଭାରତକୁ ଜିତାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍ ପେରୀ, ମେଗାନ୍ ସ୍କଟ୍ ଓ କ୍ୟାରୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଅଷ୍ଟ୍ରେଲିଆ ତା’ର ଦୁଇ ଓପ୍ନର ଆଲିସା ହିଲୀ (୦) ଓ ବେଥ୍ ମୁନୀ (୧୬)ଙ୍କୁ ଶସ୍ତାରେ ହରାଇଥିଲେ। କିନ୍ତୁ ମଧ୍ୟକ୍ରମରେ ଗାର୍ଡନର୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ କ୍ୟାପଟେନ୍ ମେଗ୍ ଲାନିଙ୍ଗଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୭୯ ରନର ପାର୍ଟନରଶିପ୍ କରିଥିଲେ। ଲାନିଙ୍ଗ୍ ୨୨ ବଲରେ ୬ ଚୌକା ସହ ୩୭ ରନ୍ କରି ଆଉଟ୍ ହୋଇଥିଲେ।
ଗାର୍ଡନର୍ ମାତ୍ର ୫୭ ବଲରେ ୧୧ ଚୌକା ଓ ୩ ଛକା ସହ ୯୩ ରନରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ଏବଂ ଏହି ଇନିଂସ୍ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲେ।
ପେରୀ ୧୩ ରନ୍ କରି ଆଉଟ୍ ହୋଇଥିବା ବେଳେ ରାଚେଲ୍ ହାସେନ୍ ୧୧ ଓ ସୋଫି ମୋଲିନ୍ୟୁକ୍ସ ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି, ରାଜେଶ୍ୱରୀ ଗାଏକ୍ୱାଡ୍, ରାଧା ଯାଦବ ଓ ହର୍ଲୀନ୍ ଦେଓଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।