
ନୂଆଦିଲ୍ଲୀ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ବାଂଲାଦେଶ ବିଜୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୨ ଓଭରରେ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା। ଏହାସହ ଦଳ ବାଂଲାଦେଶକୁ ୧୭୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ବାଂଲାଦେଶ ୩ ଓ୍ୱିକେଟରେ ଡକଓ୍ୱର୍ଥ ନିୟମ ଅନୁସାରେ ମ୍ୟାଚ ଜିତିବା ସହ ଅଣ୍ଡର-୧୯ ବିଶ୍ୱ ଚାମ୍ପିୟନ ହୋଇଛି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୟଶସ୍ୱୀ ଜୟଶ୍ୱାଲ ଓ ଦିବ୍ୟାଂଶ ସକସେନାଙ୍କୁ ଓପନିଂ ପାଇଁ କ୍ରିଜକୁ ଓହ୍ଲାଇଥିଲା। ୟଶସ୍ୱୀ ନିଜ ଅନ୍ଦାଜରେ ବ୍ୟାଟିଂ କରିଥିଲେ। ସେ ୧୨୧ ବଲରେ ୮ ଚୌକା ଓ ଗୋଟିଏ ଛକ୍କା ସହ ୮୮ ରନ କରିଥିଲେ। ତେବେ ଦିବ୍ୟାଂଶ ୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ କ୍ରିଜକୁ ଆସିଥିବା ତିଳକ ବର୍ମା ୩୮ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧୃବ ଜୁରେଲ ୨୨ ରନ କରିଥିବା ବେଳେ ଅନ୍ୟ କୌଣସି ମ୍ୟାଟସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ। ଆରମ୍ଭରୁ ବାଂଲା ବୋଲର ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ଫଳରେ ଭାରତ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା।
ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋରିଫୁଲ ଇସଲାମ, ତାଞ୍ଜିମ ସାକିବ ୨ଟି ଲେଖାଏଁ ଓ ରକିବୁଲ ହାସନ ଗୋଟିଏ ଓ୍ୱିକେଟ୍ ନେଇଥିଲେ।
୧୭୮ ରନର ବିଜୟ ଳକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲା। ଦଳର ଓପନିଂ ଯୋଡି ପରଭେଜ୍ ହୋସେନ ଏମନ ଓ ତାଞ୍ଜିଦ୍ ହାସନ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ଓ୍ୱିକେଟ୍ ଯୋଡିରେ ୫୦ ରନ କରିଥିଲେ। ତେବେ ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ପ୍ରଥମେ ତାଞ୍ଜିଦ ଓ ପରେ ମହମଦୁଲ ହାସନ ୮, ତୋହିଦ୍ ହୃଦୟ ୦, ସହାଦତ ହୋସେନ ୧ ରନ କରି ଆଉଟ ହୋଇଥିଲେ। ଫଳରେ ଦଳ ସଙ୍କଟରେ ପଡିଥିଲା। ତେବେ ଓପନର ପରଭେଜ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ସେ ୪୭ ରନ କରି ଆଉଟ ହୋଇଥିଲେ। ଆକବର ଅଲ୍ଲୀ ମଧ୍ୟ ଲଢୁଆ ବ୍ୟାଟିଂ କରି ୪୩ ରନ କରିଥିଲେ। ଏହାପରେ ବର୍ଷା ହେବା ଫଳରେ ଦଳ ୪୨.୧ ଓଭରରେ ୭ ଓ୍ୱିକେଟ ହରାଇ ୧୭୦ ରନ କରିବା ସହ ଡକଓ୍ୱର୍ଥ ଲୁଇସ୍ ନିୟମରେ ବିଜୟ ଲାଭ କରି ନେଇଥିଲା।
ଭାରତ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ସୁଶାନ ମିଶ୍ର ୨ଟି ଓ ଯଶସ୍ୱୀ ଜୈଶ୍ୱାଲ ଗୋଟିଏ ଓ୍ୱିକେଟ୍ ନେଇଥିଲେ।