ବିଗବସ୍‌-୧୩ ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ : ଦୀର୍ଘ ସାଢ଼େ ୪ମାସରୁ ଅଧିକ ସମୟ ଧରି କଲର୍ସ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହୋଇଆସିଥିବା ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସ୍‌ ସିଜିନ-୧୩ ଶନିବାର ରାତିରେ ଶେଷ ହୋଇଛି । କଡା ପ୍ରତିଯୋଗିତା ଭିତରେ ଅନ୍ୟତମ ପ୍ରତିଯୋଗୀ ଅସିମ ରିୟାଜଙ୍କୁ ହରାଇ ସିଦ୍ଧାର୍ଥ ଶୁକ୍ଳା ବିଜୟୀ ହୋଇଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଟ୍ରଫି ମିଳିଛି । କାଶ୍ମୀରର ମଡେଲ ଅସିମ ରିୟାଜ ପ୍ରତିଯୋଗିତାର ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ସେହନାଜ ଗିଲ୍‌ ତୃତୀୟ ସ୍ଥାନରେ ରହିଛନ୍ତି । ଚୂଡାନ୍ତ ପର୍ଯ୍ୟାୟକୁ ଆସିଥିବା ଅନ୍ୟ ୩ ପ୍ରତିଯୋଗୀଙ୍କ ମଧ୍ୟରୁ ପାରସ ଛାବ୍ରା ୧୦ଲକ୍ଷ ଟଙ୍କା ନେଇ ଶୋ’ରୁ ଚାଲିଯାଇଥିଲେ ।

ସେହିଭଳି ଆଉ ଦୁଇ ପ୍ରତିଯୋଗୀ ଆରତି ସିଂହ ଓ ରେଶମୀ ଦେଶାଇଙ୍କୁ ଶୋ’ରୁ ହଟିବାକୁ ପଡିଥିଲା । ବିଗବସ୍‌ର ଯେତେ ସଂସ୍କରଣ ହୋଇଛି ତା ଭିତରେ ଏହି ସଂସ୍କରଣ ସବୁଠାରୁ ଅଧିକ ଦିନ ଧରି ଚାଲିଥିଲା । ୨୦୧୯ ସେପ୍ଟେମ୍ବର ୨୯ରେ ଏହା ଆରମ୍ଭ ହୋଇଥିଲା । ପ୍ରଥମେ ଏହାକୁ ୧୦୫ ଦିନ ଭିତରେ ଶେଷ କରିବାକୁ ଯୋଜନା ଥିଲା । ହେଲେ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆୟୋଜକ ଏହାକୁ ଆହୁରି ୫ ସପ୍ତାହ ବଢ଼ାଇ ଦେଇଥିଲେ । ଫଳରେ ଏହା ୧୪୦ ଦିନ ଧରି ଚାଲିଥିଲା । ଏହି ଶୋ’ରେ ୨୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *