ମହିଳା ଟି୨୦ ବିଶ୍ୱକପ: ପୁନମଙ୍କ ବୋଲିଂରେ ଘାଇଲା ହେଲା ଅଷ୍ଟ୍ରେଲିଆ, ଭାରତ ୧୭ ରନରେ ବିଜୟୀ

ନୂଆଦିଲ୍ଲୀ :    ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ପୁନମ ଯାଦବଙ୍କ ଦୁର୍ଦ୍ଦଶ ବୋଲିଂ ଆଗରେ କଙ୍ଗାରୁ ମହିଳା ବ୍ୟାଟସମ୍ୟାନ ହାତ ଟେକିଦେଇଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ୧୭ରନରେ ଜିତି ନେଇଛି। ପୁନମ ନିଜ ୪ ଓଭରରେ ୧୯ ରନ ଦେଇ ୪ଟି ଓ୍ୱିକେଟ ଅକ୍ତିଆର କରିଛନ୍ତି। ଏହାସହ ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୧୩୨ ରନ କରିବା ସହ କଙ୍ଗାରୁକୁ ୧୩୩ ରନର ଟାର୍ଗେଟ ଦେଇଥିଲା। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୪୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ମାନ୍ଧାନା ୧୦ ରନ କରିଥିଲେ। ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୧୩୨ ରନ ସ୍କୋର କରିଥିଲା।

ଜବାବରେ ୧୩୩ର ନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ଓପନର ଆଇସା ହେଲି ୫୧ ରନ କରିଥିଲେ। ସେ ଆଉଟ ହେବା ପରେ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା। ଆସିଲେସ ଗାର୍ଡନର ୩୪ ରନ କରି ଆଉଟ ହେବା ପରେ ଦଳର ବିଜୟ ହେବା ଆଶା ମଉଳି ଯାଇଥିଲା। ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଦଳ ୧୯.୫ ଓଭରରେ ୧୧୫ ରନରେ ଅଲଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ପୁନମ ଯାଦବ ୪, ଶିଖା ପାଣ୍ଡେ ୩ ଓ ରାଜେଶ୍ୱରୀ ଗୟାକାଡ ଗୋଟିଏ ଓ୍ୱକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *