ଦିଲ୍ଲୀ ହିଂସା: ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ, ୬ ଆହତ; ୫ ମେଟ୍ରୋ ଷ୍ଟେସନ ବନ୍ଦ

ନୁଆଦିଲ୍ଲୀ : ସିଏଏ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି । ଉତ୍ତରପୂର୍ବ ଓ ପୂର୍ବ ଦିଲ୍ଲୀର ଅନେକ ଅଞ୍ଚଳରେ ଏହି ହିଂସା ମଧ୍ୟରେ ପ୍ରଦର୍ଶନକାରୀ ଅନେକ ଯାନ ବାହନରେ ନିଆଁ ଲଗାଇ ଦେଇଛନ୍ତି । ଗୋକୁଳପୁରୀରେ ପଥରମାଡରେ ଜଣେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ଏଥିରେ ଏପର୍ଯ୍ୟନ୍ତ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହେବା ସହ ଡିସିପି-ଏସିପି ସମେତ ୬ ପୋଲିସ କର୍ମୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହା ପରେ ଭଜନପୁରାର ଏକ ପେଟ୍ରୋଲ ପମ୍ପ ନିକଟରେ ଏକ କାରରେ ନିଆଁ ଲଗାଇବା ଫଳରେ ପେଟ୍ରୋଲ ପମ୍ପ ମଧ୍ୟ ନିଆଁ କବଳରେ ଆସିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ପହଞ୍ଚିବା ସମୟରେ ବିକ୍ଷୋଭ ପ୍ରଦର୍ଶନକାରୀ ଭଙ୍ଗାଭଙ୍ଗି ଆରମ୍ଭ କରିଦେଇଥିଲେ । 

ଦିଲ୍ଲୀ ପୋଲିସ ମିଡିଆ ମାଧ୍ୟମରେ ଲୋକଙ୍କୁ ଅପିଲ କରିଛି, ‘ନର୍ଥ ଇଷ୍ଟ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ଖାସ୍ କରି ମୌଜପୁର,କଦର୍ମପୁରୀ, ଚାନ୍ଦବାଗ୍ ଓ ଦୟାଲପୁରର ଅନେକ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ଅପିଲ୍ କରାଯାଉଛି । ଶାନ୍ତି, ସଦଭାବ ରଖିବା ସହ କୌଣସି ମିଛ କିମ୍ବା ଗୁଜବ ଉପରେ ବିଶ୍ୱାସ କରିବା କିମ୍ବା ଏହାକୁ ପ୍ରୋତ୍ସାହନ ନଦେବାକୁ ଅପିଲ୍ କରାଯାଉଛି । ନର୍ଥ ଇଷ୍ଟ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଧାରା ୧୪୪ ଲାଗୁ କରିଦିଆଯାଇଛି ଏବଂ ଅସାମାଜିକ ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଖୁବ ଶୀଘ୍ର ନିଆଯିବ ।  ’

ଉପରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ‘ଦିଲ୍ଲୀରେ ଆଜି ହିଂସା ଚିନ୍ତାର କାରଣ ଏବଂ ଏହା ନିନ୍ଦାର ବିଷୟ । ଶାନ୍ତିପୂର୍ଣ୍ଣ ବିରୋଧ ସୁସ୍ଥ ଗଣତନ୍ତ୍ରର ପ୍ରତୀକ,  ହିଂସାକୁ କେବେ ବି ସଠିକ୍ କୁହାଯାଇପାରିବ ନାହିଁ । ମୁଁ ଦିଲ୍ଲୀ ନାଗରିକଙ୍କୁ ଅପିଲ୍ କରୁଛି କି ସେମାନେ ସଂଯମ ରଖିବା ସହ ଦୟା ଦେଖାଇବା ଉଚିତ୍ । କାହା ଉସକାଇବାରେ ପଡନ୍ତୁ ନାହିଁ ।’ ସୂଚନା ଯୋଗ୍ୟ ଦିଲ୍ଲୀରେ ୧୦ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *