
ସିଡନୀ : ମହିଳା ଟି୨୦ ବିଶ୍ୱକପରେ ଭାରତ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ହରମନପ୍ରିତ କୌରଙ୍କ ନେତୃତ୍ୱରେ ଦଳ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୧୭ ରନରେ ପରାଜିତ କରିବା ପରେ ବାଂଲାଦେଶକୁ ୧୮ ରନରେ ହରାଇଛି।
ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ ହରାଇ ୧୪୨ ରନ ସ୍କୋର କରିଥିଲା। ଭାରତ ପକ୍ଷରୁ ଶେଫାଳୀ ବର୍ମା ୧୭ ବଲରୁ ବିସ୍ଫୋରକ ୩୯ ରନ କରିଥିଲେ। ସେହିପରି ଜେମିମା ରୋଡିଗ୍ରସ ୩୪ ରନ କରିଥିବା ବେଳେ ବେଦା କ୍ରିଷ୍ଣାମୂର୍ତ୍ତି ୨୦ ଓ ରିଚା ଘୋଷ ୧୪ ରନ କରିଥିଲେ। ବାଂଲାଦେଶୀ ବୋଲର ସଲମା ଖାତୁନ ଓ ପାନ୍ନା ଘୋଷ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ।
୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଦଳ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୨୪ ରନ ହିଁ କରିପାରି ଥିଲା। ଫଳରେ ବିଜୟଠୁ ୧୮ ରନ ପଛରେ ରହିଯାଇଥିଲା। ଭାରତ ପକ୍ଷରୁ ପୁନମ ଯାଦବ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିଲେ।
ଏହି ବିଜୟ ସହ ଭାରତ ଗ୍ରୁପରେ ଶୀର୍ଷରେ ପହଁଚିଯାଇଛି। ଦଳ ଆସନ୍ତା ମ୍ୟାଚ ଫେବ୍ରୁଆରୀ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।