
ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତ ସାରି ଆଜି ରାତି ପ୍ରାୟ ୧୦ଟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଫେରିଯାଇଛନ୍ତି। ଏହା ପୂର୍ବରୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ନୈଶ୍ୟଭୋଜିରେ ଯୋଗ ଦେଇଥିଲେ।
ଆଜି ଟ୍ରମ୍ପ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଦିଲ୍ଲୀ ରାଜଘାଟରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହାପରେ ମୋଦୀଙ୍କ ସହ ମିଶି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହାସହ ଆମେରିକୀୟ ଦୂତାବାସରେ ଭାରତୀୟ ଶିଳ୍ପପତିଙ୍କୁ ସାକ୍ଷାତ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତା ପାଇଁ ସେ କିଛି କହିନାହାଁନ୍ତି। ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ମାମଲା ଅଟେ। ସେ ଏହା ଉପରେ ଦୀର୍ଘ ଦିନ ଧରି କାମ କୁରଛନ୍ତି। ଭାରତ ଆଗାମୀ ୫୦-୧୦୦ ବର୍ଷରେ ଏକ ବଡ ଖେଳାଳି ଭାବେ ଉଭା ହେବ। ଦେଶ ଏକ ଅଦ୍ଭୁତପୂର୍ବ ଭବିଷ୍ୟତ ଆଡକୁ ମୁହାଁଉଛି। ଆତଙ୍କବାଦ ଦୀର୍ଘ ବର୍ଷ ଧରି ଏକ ବଡ ସମସ୍ୟା ହୋଇ ରହିଛି। ଏହି ଦିଗରେ ସେ ଭାରତକୁ ସହଯୋଗ କରିବେ। ତାଙ୍କର ମୋଦୀ ଓ ଇମରାନ ଖାନଙ୍କ ସହ ଭଲ ସମ୍ପର୍କ ରହିଛି। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଲେ ଖୁସି ହେବେ ବୋଲି ସେ କହିଥିଲେ।
ସିଏଏକୁ ନେଇ ସେ କହିଥିଲେ ଯେ, ଏହା ଭାରତର ଆନ୍ତରିକ ମାମଲା। ଏହା ଉପରେ ଦେଶ ଠିକ ନିଷ୍ପତ୍ତି ନେବ। ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ହିଂସାକୁ ନେଇ ମୋଦୀଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ସେ ଜଣେ ବହୁତ ଭଲ ନେତା। ଭାରତରେ ଯେପରି ତାଙ୍କୁ ସ୍ୱାଗତ କରାଯାଇଛି ସେମିତି ଆଉ କାହାକୁ ସ୍ୱାଗତ କରାଯାଇ ନଥିବ। ଆମେରିକା ନିର୍ବାଚନରେ ଋଷର ହସ୍ତକ୍ଷେପ ବାବଦେର ସେ କିଛି ଜାମିନାହାଁନ୍ତି। ଆଇଏସଆଇଏସକୁ ଆମେରିକା ନିପାତ କରିଥିବା ସେ ପ୍ରକାଶ କରିଥିଲେ।