
ନୂଆଦିଲ୍ଲୀ: ଅଧ ରାତିରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରଙ୍କ ବଦଳି ହୋଇଛି। ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଥିଲେ।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରଙ୍କ ବଦଳି ଦିଲ୍ଲୀ ହିଂସା ମାମଲାର ଶୁଣାଣି ସହିତ କୌଣସି ସମ୍ପର୍କ ନାହିଁ। କାରଣ ଜଷ୍ଟିସ ଏସ୍ ମୁରଲୀଧରଙ୍କ ବଦଳି ପାଇଁ ଫେବୃଆରୀ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କ କଲେଜିୟମ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ୍ ଏ ବୋବଡ଼େଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରଙ୍କୁ ବଦଳି କରିଛନ୍ତି। ଏବେ ସେ ହରିଆଣା ଏବଂ ପଞ୍ଜାବ ହାଇକୋର୍ଟରେ ବିଚାରପତି ଭାବରେ ଦାୟିତ୍ୱ ସମ୍ଭାଳିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରଙ୍କ ବଦଳି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି।