
ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ତାହିରଙ୍କ ନାଁରେ ହିଂସା ଘଟାଇବା ଅଭିଯୋଗ ରହିଛି।
ତାହିରଙ୍କ ଘରଠାରୁ ଅଳ୍ପ ଦୂରରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ତାହିରଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାହିରଙ୍କ ଘର ଉପରୁ ବୋମା, ପଥର ଫିଙ୍ଗାଯାଉଥିବାର ଭିଡିଓ ଫୁଟେଜ ବି ଭାଇରାଲ ହୋଇଛି। ତେବେ ହିଂସା ପୂର୍ବରୁ ପୁଲିସ ତାଙ୍କୁ ଘରୁ ବାହାର କରି ଦେଇଥିବାରୁ ସେ ଏଥିରେ ସମ୍ପୃକ୍ତ ନାହାନ୍ତି ବୋଲି ତାହିର ସଫେଇ ଦେଇଛନ୍ତି।
ତାହିର ହୁସେନଙ୍କ ସମର୍ଥନରେ ବାହାରିଛି ଆମ୍ ଆଦମୀ ପାର୍ଟି। ଦିଲ୍ଲୀ ପୁଲିସ ଉପରେ ଅଭିଯୋଗ ଆଣି ଆପ୍ କହିଛି, ପୁଲିସ ତାହିରଙ୍କ ଘରେ ୮ ଘଣ୍ଟା ବିଳମ୍ୱରେ ପହଞ୍ଚିଥିଲା। ଏହି ମାମଲାରେ ନିରପେକ୍ଷ ତଦନ୍ତ ହେବା ଦରକାର। ହୁସେନଙ୍କ ଘରେ ହିଂସାକାରୀ ପ୍ରବେଶ କରିବା ପରେ ପୁଲିସଙ୍କୁ ଅବଗତ କରାଯାଇଥିଲା। ହେଲେ ୮ ଘଣ୍ଟା ବିଳମ୍ୱରେ ପୁଲିସ ପହଞ୍ଚିବାକୁ ନେଇ ଆପ୍ ଏବେ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠାଇଛି।
ସୂଚନାଯୋଗ୍ୟ, ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ତାହିର ହୁସେନଙ୍କ ଘର ପାଖରେ ହୋଇଥିଲା। ଅଙ୍କିତଙ୍କ ହତ୍ୟା ପଛରେ ତାହିର ହୁସେନଙ୍କର ଭୂମିକା ରହିଛି ବୋଲି ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।