
ନୂଆଦିଲ୍ଲୀ: ସଂସଦରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତି ମଣି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଙ୍ଗୀତା ।
ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା କରିଥିଲେ । ଏପରିକି କହୁଣୀକୁ ଧରି ଠେଲାପେଲା କରିବା ସହ ମାଡ ମଧ୍ୟ ମାରିଥିଲେ । ତେବେ ତଳେ ପଡିଯିବା ପୂର୍ବରୁ ବିଜେପି ସାଂସଦ ତଥା ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ବଞ୍ଚାଇବା ସହ ଘଟଣାରେ ହସ୍ତକ୍ଷେପ କରିଥିଲେ । ଆଉ ଏଭଳି ଘଟଣାକୁ ନେଇ ସଙ୍ଗୀତା ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ଗଣତନ୍ତ୍ରର ମନ୍ଦିରରେ ଏଭଳି କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ । ଏଥିପାଇଁ ଦୁଇ ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସଙ୍ଗୀତା କହିଛନ୍ତି । ଏ ନେଇ ସେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି।