
ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ବିଶ୍ବର ଅନେକ ଦେଶକୁ ବ୍ୟାପୀ ଗଲାଣି। ଚୀନ୍ ସମେତ ଦକ୍ଷିଣ କୋରିଆ, ଇରାନ ଓ ଇଟାଲି ଭଳି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କରୋନା ଭାଇରସ ପ୍ରଭାବରେ ଓୟୋ ହୋଟେଲର କାରବାରକୁ ମଧ୍ୟ ଝଟକା ଲାଗିଛି | ଏହି କାରଣରୁ କମ୍ପାନୀ ପକ୍ଷରୁ ୫ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି | ଆମେରିକା, ଚୀନ ଓ ଭାରତରେ ଏହି ଛଟେଇ କରାଯିବ ବୋଲି ଜଣାପଡିଛି |
ମିଳିଥିବା ସୂଚନା ମୁତାବକ କରୋନା ଭାଇରସ ପାଇଁ ଚୀନରେ ଓୟୋକୁ ବିପୁଳ କ୍ଷତିର ସାମ୍ନା କରିବାକୁ ପଡିଛି | ବହୁ ସଂଖ୍ୟାରେ ପର୍ଯ୍ୟଟକ ଚୀନ ଯାଉନଥିବା ବେଳେ ହୋଟେଲ ସବୁ ଫାଙ୍କା ପଡିଛି | ସେଥିପାଇଁ ଚୀନରେ ସର୍ବାଧିକ ଛଟେଇ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି | ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜାନୁୟାରୀ ମାସରେ ୩୦ ହଜାର କର୍ମଚାରୀ ଥିବାବେଳେ ଖୁବ ଶୀଘ୍ର ଏହାକୁ କମାଇ ୨୫ ହଜାର କରାଯିବ |
କାରଣ କରୋନା ଭାଇରସ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି | ଏଭଳି ସ୍ଥିତିରେ ହୋଟେଲ ଶିଳ୍ପକୁ ଚଳାଇବା କଷ୍ଟକର ହୋଇପଡିଛି | ଭାରତରେ କମ୍ପାନୀର ୧୦ ହଜାର କର୍ମଚାରୀ ଥିବାବେଳେ ୧୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ | ଏଠାରେ ସୂଚନା ଥାଉ କି ୨୦୧୩ ମସିହାରେ ସ୍ଥାପନା ହୋଇଥିବା ଏହି କମ୍ପାନୀ ବିଭିନ୍ନ ଦେଶରେ ହୋଟେଲ ଶିଳ୍ପରେ ନିବେଶ କରିଛି |