ମହିଳା ଟି୨୦ ବିଶ୍ୱକପ୍‌: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ସିଡ୍‌ନୀ : ଚଳିତ ଟି୨୦ ମହିଳା ବିଶ୍ୱକପ୍‌ ଫାଇନାଲ ମୁକାବିଲା ଗୁରୁବାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ଓ ଡିଫେଣ୍ଡିଂ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ପାଇଁ ଲଢ଼େଇ ହେବ। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌କୁ ଡିଏଲ୍‌ଏସ୍‌ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆ ୫ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଏହାକୁ ମିଶାଇ ଅଷ୍ଟ୍ରେଲିଆ କ୍ରମାଗତ ୬ଷ୍ଠ ଥର ପାଇଁ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଲଗାଣ ବର୍ଷା ଯୋଗୁ ବାତିଲ ହୋଇଥିଲା।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ମେଗ ଲାନ୍ନିଂ ୪୯*, ବେଥ ମୁନି ୨୮, ରିଚେଲ ହାଇନେସ ୧୭ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନାଡିଦେ ଡି କ୍ଲାର୍କ ୩ ଉଇକେଟ ହାସଲ କରିଥିଲେ। ପରେ ପୁଣି ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଡିଏଲଏସ୍‌ ନିୟମ ବ୍ୟବହାର କରାଯାଇ ୧୩ ଓଭରରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୯୮ ରନ୍‌ର ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବ୍ୟାଟ୍ସଓମେନଙ୍କ ମିଳିତ ଉଦ୍ୟମ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୧୩ ଓଭର ସୁଦ୍ଧା ୫ ଉଇକେଟ ହରାଇ ୯୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସୁନେ ଲସ ଓ ଲୌରା ଓ୍ବଲଭାରଡ ଚତୁର୍ଥ ଉଇକେଟ ପାଇଁ ୩୮ ବଲରେ ୪୬ ରନ୍‌ କରି ଦଳର ବିଜୟ ଆଶା ସୃଷ୍ଟି କରିଥିଲେ। କିନ୍ତୁ ଲୁସ(୨୧) ଆଉଟ୍‌ ହେବା ପରେ କୌଣସି ଖେଳାଳି ଲୌରାଙ୍କୁ ଉପଯୁକ୍ତ ସହାୟତା କରିପାରି ନ ଥିଲେ। ଫଳରେ ଦଳ ବିଜୟ ଲକ୍ଷ୍ୟଠାରୁ ୬ ରନ୍‌ ଦୂରରେ ରହିଯାଇଥିଲା। ଲୌରା ୨୭ ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ବଳରେ ୪୧ ରନ୍‌ କରି ନଟଆଉଟ୍‌ ଥିଲେ।

Leave a Reply

Your email address will not be published. Required fields are marked *