ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଫାଇନାଲରେ ଭାରତ

ସିଡ୍‌ନୀ : ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ମହିଳା ଟି୨୦ ବିଶ୍ୱକପ୍‌ ଇତିହାସରେ ଭାରତୀୟ ଦଳ କଦାପି ସେମିଫାଇନାଲ ବାଧା ଅତିକ୍ରମ କରିପାରି ନ ଥିଲା। କିନ୍ତୁ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ଏଥର ଭାଗ୍ୟଦେବୀ ସହାୟ ହୋଇଛନ୍ତି। ବର୍ଷା ଯୋଗୁ ଭାରତୀୟ ଦଳ ସେମିଫାଇନାଲରେ ଅବତିର୍ଣ୍ଣ ନ ହୋଇ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବାର ଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌କୁ ବାତିଲ ଘୋଷଣା କରାଯାଇଛି। ପୂର୍ବରୁ ବର୍ଷା ସମ୍ଭାବନା ଥିବା ଆଇସିସିକୁ କ୍ରିକେଟ ଅଷ୍ଟ୍ରେଲିଆ ଜଣାଇବା ସହ ରିଜର୍ଭ ଡେ’ ପାଇଁ ଅନୁରୋଧ କରିଥିଲା। କିନ୍ତୁ ଆଇସିସି ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଏଣୁ ଆଇସିସି ନିୟମ ଅନୁସାରେ ଗ୍ରୁପ୍‌ ଏ’ରେ ଅପରାଜେୟ ରହିଥିବା ଭାରତୀୟ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ପ୍ରଥମେ ଅଷ୍ଟ୍ରେଲିଆ, ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ଓ ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ୪ ମ୍ୟାଚ୍‌ରୁ ୮ ପଏଣ୍ଟ ସହ ଗ୍ରୁପ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଥିଲା।

Leave a Reply

Your email address will not be published. Required fields are marked *