
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧ ତାରିଖରୁ ଦେଶକୁ ୪ଟି ନୂଆ ଓ ବଡ଼ ସରକାରୀ ବ୍ୟାଙ୍କ ମିଳିବ। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଗତବର୍ଷ ଅଗଷ୍ଟ ମାସରେ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଥିଲେ। ଦେଶରେ ଥିବା ୧୦ଟି ବ୍ୟାଙ୍କକୁ ଭାଙ୍ଗି ସରକାର ୪ଟି ନୂଆ ବ୍ୟାଙ୍କ ଗଠନ କରିବେ ବୋଲି ଘୋଷଣା କରିଥିଲେ।
ନିଷ୍ପତ୍ତି ଅନୁଯାୟୀ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କକୁ କ୍ୟାନାଡା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସହିତ ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ-କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରାଯିବ। ବର୍ତ୍ତମାନ ଏହି ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି।
ସୂଚନାଯୋଗ୍ୟ, ସଂପୃକ୍ତ ବ୍ୟାଙ୍କ ଗୁଡ଼ିକର ନିର୍ଦ୍ଦେଶକ ବୋର୍ଡ ମଧ୍ୟ ଏହି ମିଶ୍ରଣ ପ୍ରସ୍ତାବକୁ ପୂର୍ବରୁ ଅନୁମୋଦନ ଦେଇ ସାରିଛନ୍ତି। ଏହି ଅନୁମୋଦନ ପରେ ବର୍ତ୍ତମାନ ଦେଶ ୪ ଟି ନୂଆ ବ୍ୟାଙ୍କ ପାଇବ। କିନ୍ତୁ ଏହି ବ୍ୟାଙ୍କ ଗୁଡ଼ିକର ଲୋଗୋ କ’ଣ ରହିବ ସେସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।
୨୦୧୭ ମସିହାରେ ଦେଶରେ ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିଲା। କିନ୍ତୁ ଗତ ୨ ବର୍ଷରେ ଏହି ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ମୋଦି ସରକାର ଦୁଇ ବର୍ଷ ମଧ୍ୟରେ ୧୫ଟି ସରକାରୀ ବ୍ୟାଙ୍କକୁ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରିଛନ୍ତି।