ଭାରତରେ କରୋନା ସଙ୍କଟ: ୨୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ବିଶ୍ୱର ୮୩ଟି ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି । ଭାରତରେ କରୋନା ଭାଇରସ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚିଛି । ଦିଲ୍ଲୀର ଜଣେ ବ୍ୟକ୍ତି ଏବଂ ଆଗ୍ରାରେ ରହୁଥିବା ତାଙ୍କର ୬ ଜଣ ସମ୍ପର୍କୀୟ, ହାଇଦ୍ରାବାଦରେ ଜଣେ, ଇଟାଲୀରୁ ଭାରତକୁ ଆସିଥିବା ୧୬ ପର୍ଯ୍ୟଟକ ଏବଂ ସେମାନଙ୍କର ଜଣେ ଭାରତୀୟ ଡ୍ରାଇଭର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ କେରଳରେ ତିନି ଜଣ ଏଥିରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି ।

କରୋନାରେ ସଂକ୍ରମିତ ହୋଇଥିବା ଇଟାଲୀର ୧୬ ପର୍ଯ୍ୟଟକ ଏବଂ ସେମାନଙ୍କୁ ଗାଡ଼ିରେ ନେଇଥିବା ଭାରତୀୟ ଡ୍ରାଇଭରଙ୍କୁ ଆଇଟିବିପି ଦ୍ୱାରା ଦିଲ୍ଲୀରେ ନିର୍ମିତ ସ୍ୱତନ୍ତ୍ର କ୍ୟାମ୍ପରେ ରଖାଯାଇଛି । ଗୁରୁଗାଓଁରେ ପେଟିମ୍‌ କମ୍ପାନିର ଜଣେ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଅନ୍ୟ କେତେକ ରାଜ୍ୟରେ ବି ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ସେମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ବିହାରରେ ୧୦୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ବେଙ୍ଗାଲୁରୁରେ ୫ ଜଣ ଏଥିରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

କରୋନା ଭୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶବାସୀଙ୍କୁ ଭିଡ଼ ସ୍ଥାନକୁ ନ ଯିବା ଲାଗି ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ କୌଣସି କାରଣରୁ ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟାରେ ଏକତ୍ରିତ ନ କରିବା ପାଇଁ ମଧ୍ୟ ସରକାର କହିଛନ୍ତି । କରୋନା ଦିନେ ସମଗ୍ର ବିଶ୍ୱକୁ ବ୍ୟାପି ଭୟାବହ ସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏକଦା ଦେଇଥିବା ଚେତାବନୀ ଆଜି ସତ ହେବାକୁ ଯାଉଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ୱାର୍ଡ ସ୍ଥାପନ ପାଇଁ ଉଦ୍ୟମ କରୁଛନ୍ତି । ସେହିପରି କରୋନା ଆକ୍ରାନ୍ତ ବ୍ୟକ୍ତି କେଉଁ କେଉଁ ସ୍ଥାନକୁ ଯାଇଥିଲେ ଏବଂ କାହା କାହା ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଛି । କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୩ଟି ସ୍କୁଲକୁ ବନ୍ଦ କରି ଦିଆଯାଇଥିଲାବେଳେ ଆଉ ତିନୋଟି ସ୍କୁଲରେ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଘୋଷଣା କରିଛନ୍ତି ଯେ ପୂର୍ବରୁ କେବଳ ୧୨ଟି ଦେଶରୁ ଆସିଥିବା ଯାତ୍ରୀଙ୍କର ବିମାନବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ଏବେ ସମସ୍ତ ବିଦେଶୀ ରାଷ୍ଟ୍ରରୁ ଆସୁଥିବା ସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ସାକ୍ଷାତ କରିଛନ୍ତି ଏବଂ କରୋନାର ମୁକାବିଲା ପାଇଁ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଆଇସୋଲେସନ ୱାର୍ଡ ସ୍ଥାପନ ପ୍ରକ୍ରିୟା ତ୍ୱାରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । କରୋନା ଭାଇରସ ସମଗ୍ର ରାଷ୍ଟ୍ର ପାଇଁ ଏକ ବଡ ବିପଦ ଭାବେ ଉଭା ହୋଇଥିବାରୁ ଆମ ସମସ୍ତଙ୍କୁ ମିଳିତ ଭାବେ ଏହାର ମୁକାବିଲା କରିବାକୁ ପଡିବ ।

ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ଏପର୍ଯ୍ୟନ୍ତ ଭାରତର ବିମାନବନ୍ଦରଗୁଡ଼ିକରେ ମୋଟ ୫,୮୯,୦୦୦, ବନ୍ଦରଗୁଡ଼ିକରେ ୧୫ ହଜାର, ନେପାଳ ସଂଲଗ୍ନ ସୀମାରେ ୧୦ ଲକ୍ଷ ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ପ୍ରାୟ ୨୭,୦୦୦ ଲୋକଙ୍କୁ କମ୍ୟୁନିଟି ସର୍ଭିଲେନ୍ସ (ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଖପାଖ ଲୋକଙ୍କ ଦ୍ୱାରା ନଜର ରଖାଯାଉଛି)ରେ ରଖାଯାଇଛି । ୧୫ଟି ଲାବରେ ଏବେ କରୋନା ଭାଇରସ ଚିହ୍ନଟ ପାଇଁ ଲୋକଙ୍କ ଠାରୁ ସଂଗୃହୀତ ନମୁନାର ପରୀକ୍ଷଣ କରାଯାଉଛି । ଏହି ଉଦ୍ଦେଶ୍ୟରେ ଆଉ ୧୯ଟି ଲାବ୍‌ ପ୍ରତିଷ୍ଠା କରିବାକୁ ଉଦ୍ୟମ କରାଯାଉଛି । ତନ୍ମଧ୍ୟରୁ ମଙ୍ଗଳବାର ୭ରୁ୮ଟି ଲାବ୍‌ କାର୍ଯ୍ୟକ୍ଷମ ହୋଇଯାଇଛି । ଆଜି ରାତି ସୁଦ୍ଧା ବଳକା ଲାବ୍‌ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯାଉଛି ।

ଯଦି ଇରାନ ସରକାର ରାଜି ହେବେ, ତାହାହେଲେ ଭାରତ ଦ୍ୱାରା ସେଠାରେ ବି ଏଭଳି ଏକ ଲାବ୍‌ ପ୍ରତିଷ୍ଠା କରାଯିବ ଯେଉଁଠାରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପୂର୍ବରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଇରାନରେ ଏଭଳି ଲାବ୍‌ ସ୍ଥାପନ କରାଯିବାର ସମ୍ଭାବନା ସମ୍ପର୍କରେ ଆକଳନ କରିବା ପାଇଁ ଭାରତରୁ ୪ ଜଣ ପ୍ରମୁଖ ବୈଜ୍ଞାନିକଙ୍କୁ ବୁଧବାର ସେଠାକୁ ପଠାଯିବ । ଇରାନରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ଧାରଣ କରିଥିଲାବେଳେ ସେଠାରେ ପ୍ରାୟ ୧୨୦୦ ଭାରତୀୟ ନାଗରିକ ରହୁଛନ୍ତି । ସେମାନେ ଏହା ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ସରକାର ଏଭଳି ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି ।

ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଆଜି ସାଧାରଣ ଲୋକଙ୍କୁ ଭିଡ଼ ସ୍ଥାନକୁ ନଯିବା ପାଇଁ ଏବଂ କାହାକୁ ସ୍ପର୍ଶ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁ ସ୍ଥାନରେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ, ତା’ର ତିନି କିମି ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳର ସମସ୍ତ ଲୋକଙ୍କୁ ଏନେଇ ସଚେନତ କରାଯିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ସେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସରକାରମାନଙ୍କୁ କରୋନା ମୁକାଲିବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଆଜି ଦେଶରେ କରୋନା ଜନିତ ପରିସ୍ଥିତିର ସମୀକ୍ଷା କରିଛି ।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାୱଡେକର ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଏହାର ସମୀକ୍ଷା କରୁଛନ୍ତି । ଦିଲ୍ଲୀରେ କରୋନା ଭାଇରସ ଚିହ୍ନଟ ପରେ ବଜାରରୁ ହ୍ୟାଣ୍ଡୱାଶ ଏବଂ ଅନ୍ୟ କେତେକ ବିଶୋଧନ ସାମଗ୍ରୀର ଘୋର ଅଭାବ ପରିଲକ୍ଷିତ ହେଉଛି । ସାଧାରଣ ଲୋକେ ଅଧିକ ସଂଖ୍ୟାରେ ଏସବୁ କ୍ରୟ କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ହାଇଦ୍ରାବାଦରେ ଆଇଟି ଇଞ୍ଜିନିୟରମାନଙ୍କୁ ନିଜ ଘରୁ ଅଫିସ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରମୁଖ ଚଳିତ ବର୍ଷ ହୋଲି ପର୍ବ ପାଳନରେ ସାମିଲ ନହେବାକୁ ଘୋଷଣା କରିବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଏପରି କରିବାକୁ ନିବେଦନ କରିଛନ୍ତି ।

ଅନ୍ୟପଟରେ, କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ବିଶ୍ୱରେ ୯୫,୦୬୪ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୩୨୪୯ ଜଣ ପ୍ରାଣ ହରାଇଛନ୍ତି । ଚୀନ୍‌ରେ ସବୁଠାରୁ ଅଧିକ ୮୦,୨୮୨ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୨୯୮୧ ଜଣ ପ୍ରାଣ ହରାଇଛନ୍ତି । ଦକ୍ଷିଣ କୋରିଆରେ ୫୬୨୧ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୩୩ ଜଣ ପ୍ରାଣ ହରାଇଛନ୍ତି । ଇରାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୨ ଓ ମୃତକଙ୍କ ସଂଖ୍ୟା ୯୨, ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୯ ଜଣ ଏବଂ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *