
ଭୁବନେଶ୍ୱର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି।
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ବିଜେଡି ସଂଖ୍ୟାଲଂଘୁ ସେଲ୍ର ପରାମର୍ଶଦାତା ମୁନା ଖାଁ, ସ୍ପେସାଲ ଡେଭଲପମେଣ୍ଟ କାଉନସିଲ୍ର ଉପଦେଷ୍ଟା ସୁଜିତ୍ କୁମାର ଓ ମୟୂରଭଞ୍ଜରେ ବିଜୁ ମହିଳା ଦଳର ସଭାନେତ୍ରୀ ମମତା ମହନ୍ତଙ୍କ ନାଁରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପକ୍ଷରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମିଳିଛି କ୍ୟାବିନେଟ୍ ରାଙ୍କ୍ ପାହ୍ୟା। ସୁବାସ ସିଂଙ୍କ ପାଖରେ ଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ପଦବୀକୁ ଚ୍ୟାଉ ପଟ୍ଟନାୟକଙ୍କୁ ଦିଆଯାଇଛି।
ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ମୁନା ଖାଁ କହିଛନ୍ତି,“ ମୋ ପରିଶ୍ରମର ଫଳ ମୋତେ ମିଳିଛି। ମୋତେ ରାଜ୍ୟ ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ”
ସେହିପରି ସୁବାସ ସିଂ କହିଛନ୍ତି ,“ ମୋତେ ଯେତେବେଳେ ବି ଯାହା ଦାୟିତ୍ୱ ମିଳିଛି, ତାହା ମୁଁ ତୁଲାଇଛି। ଏ ଦାୟିତ୍ୱ ମଧ୍ୟ ଭଲ ଭାବେ ତୁଲାଇବି। ରାଜ୍ୟ ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞ।”
ସୁଜିତ୍ କୁମାର କହିଛନ୍ତି,“ ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ପ୍ରାର୍ଥୀ କରିବା, ମୋ ପାଇଁ ସରପ୍ରାଇଜ୍। ମୁଖ୍ୟମନ୍ତ୍ରୀ ମୋତେ ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ଆଦିବାସୀ ଅଞ୍ଚଳର ବିକାଶ ଲାଗି ମୁଁ ଉଦ୍ୟମ କରିବି। ଆଦିବାସୀ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଲାଗି ପ୍ରାଧାନ୍ୟ ଦେବି।”
ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ୨୬ରେ ହେବ ରାଜ୍ୟସଭା ନିର୍ବାଚନ।