ଇଟାଲୀରେ ୩୬୬ ଛୁଇଁଲା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ପାର

ନୂଆଦିଲ୍ଲୀ : ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ (କୋଭିଡ୍‌-୧୯) ରବିବାର ସୁଦ୍ଧା ୧୦୩ଟି ଦେଶକୁ କବଳିତ କରିସାରିଲାଣି । ଚୀନ୍‌ ପରେ ଏହାର ସବଠାରୁ ଅଧିକ ପ୍ରଭାବ ଇଟାଲୀରେ ଦେଖିବାକୁ ମିଳିଛି । ଇଟାଲୀରେ ରବିବାର ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ମୃତ୍ୟୁସଂଖ୍ୟା ୩୬୬କୁ ବୃଦ୍ଧି ପାଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ୭,୩୭୫ ହୋଇଛି । ଦେଶର ୧୬ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଇଟାଲୀରେ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଜିଏସେଫ୍‌ କୋଣ୍ଟେ ରବିବାର ସମଗ୍ର ଉତ୍ତରାଞ୍ଚଳକୁ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳ ମଧ୍ୟରେ ସମଗ୍ର ଲୋମ୍ବାର୍ଡି ପ୍ରଦେଶ ରହିଥିଲା ବେଳେ ଏମିଲିଆ ରୋମାଗ୍ନା, ମାର୍ଚ୍ଚେ, ପିଏମଣ୍ଟେ ଓ ଭେନିଟୋ ପ୍ରଦେଶର କିଛି ଅଞ୍ଚଳ ରହିଛି । ଏହିସବୁ ଅଞ୍ଚଳର ଲୋକସଂଖ୍ୟା ହେଉଛି ୧୬ ନିୟୁତରୁ ଅଧିକ । ସେମାନଙ୍କୁ ସମସ୍ତଙ୍କୁ ଦେଶର ଅନ୍ୟାନ୍ୟ ଅଞ୍ଚଳଠାରୁ ପୃଥକ କରି ରଖାଯାଇଛି । ଯେଉଁମାନେ ଲୋମ୍ବାର୍ଡିକୁ ଆସିବେ କିମ୍ବା ଲୋମ୍ବାର୍ଡିରୁ ଯିବେ ସେମାନଙ୍କୁ ୩ ମାସ ଜେଲ୍‌ ଏବଂ ୨୦୬ ୟୁରୋ ଜରିମାନା କରାଯିବ । କିନ୍ତୁ ଏଠାରେ ରହୁଥିବା ବ୍ରିଟିଶ ନାଗରିକମାନଙ୍କୁ ଦେଶଛାଡି ଚାଲିଯିବାକୁ ଅନୁମତି ରହିଛି ।

ଏହି ଅଞ୍ଚଳରେ ଥିବା ସମସ୍ତ ହୋଟେଲ, ଦୋକାନ ବଜାର, ଜିମ, ସୁଇମିଂ ପୁଲ, ଜିମ, କ୍ଲବ, ବାର୍‌, ମ୍ୟୁଜିୟମ, ସ୍କାଇ ରିସୋର୍ଟ ଆଦି ବନ୍ଦ ରହିଛି । ଏସବୁ ସହରରେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା ବେଳେ ବିଭିନ୍ନ ଉତ୍ସବାନୁଷ୍ଠାନକୁ ନିଷେଧ କରାଯାଇଛି । ପରିସ୍ଥିତିର ମୁକାବିଲା କରିବା ଲାଗି ସରକାର ୨୦ ହଜାରରୁ ଅଧିକ ଅବସରପ୍ରାପ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଆଇସିୟୁ ବେଡ୍‌ ସଂଖ୍ୟା ମଧ୍ୟ ୫ ହଜାରରୁ ୭,୫୦୦କୁ ବୃଦ୍ଧି କରାଯିବ ବୋଲି ସରକାର କହିଛନ୍ତି ।

ଅନ୍ୟପକ୍ଷରେ ଭାରତରେ କରୋନା ତାର କାୟା ମେଲାଇବାରେ ଲାଗିଛି । ରବିବାର କେରଳରେ ୫ ଜଣ ନୂଆ ରୋଗୀଙ୍କ ଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ମାର୍ଚ୍ଚ ୧ ତାରିଖରେ ଇଟାଲୀ ଗସ୍ତରୁ ଫେରିଥିଲା ବେଳେ ଅନ୍ୟ ଦୁଇଜଣ ସେମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବାରୁ ସଂକ୍ରମିତ ହୋଇଛନ୍ତି । ତେବେ ସେମାନେ ସମସ୍ତେ ଗୋଟିଏ ପରିବାର ସଦସ୍ୟ ବୋଲି ଜଣାପଡିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି ସଂକ୍ରମିତ ୫ ଜଣ ପାଥନମଥିଟା ଜିଲ୍ଲାର ବାସିନ୍ଦା । ଇଟାଲୀରୁ ଯେଉଁ ୩ ଜଣ ବ୍ୟକ୍ତି ଫେରିଥିଲେ ସେମାନେ ବିମାନବନ୍ଦରରେ ଥିବା ହେଲ୍‌ଥ ଡେସ୍କକୁ ଅବଗତ କରିନଥିଲେ କିମ୍ବା ନିକଟସ୍ଥ ଡାକ୍ତରଖାନାକୁ ଯାଇନଥିଲେ ।

ସେମାନେ ଜ୍ୱର ଓ ଥଣ୍ଡାରେ ପୀଡିତ ଥିଲେ ମଧ୍ୟ ଘରେ ନିଜକୁ କ୍ୱାରେଣ୍ଟାଇନରେ ରଖି ନଥିଲେ । ଫଳରେ ସେମାନଙ୍କ ସଂସ୍ପର୍ଶରେ ଘରର ଅନ୍ୟ ଲୋକମାନେ ଆସିଥିଲେ । ସମସ୍ତ ୫ ରୋଗୀଙ୍କୁ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏଥିସହ ଏହି ବ୍ୟକ୍ତିମାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି ।

ସେହିଭଳି ଯେଉଁ ଯାତ୍ରୀମାନେ କାତାର ଏୟାରୱେଜର ବିମାନ କ୍ୟୁଆର ୧୨୬ରେ ଭେନିସ୍‌ରୁ ଦୋହା ଏବଂ କ୍ୟୁଆର ୫୧୪ରେ ଦୋହାରୁ କୋଚି ଆସିଛନ୍ତି ସେମାନଙ୍କୁ ତୁରନ୍ତ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନିକଟସ୍ଥ ହସ୍ପିଟାଲରେ ଜଣାଇବାକୁ କୁହାଯାଇଛି । ଯେଉଁ ଯାତ୍ରୀମାନେ ବିଦେଶରୁ ଆସୁଛନ୍ତି ସେମାନେ ସବୁ ତଥ୍ୟ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଲାଗି କୁହାଯାଇଛି । ଯେଉଁମାନେ ନିଜର ବିଦେଶ ଗସ୍ତ ସମ୍ପର୍କି ତଥ୍ୟ ଲୁଚାଇବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି । ସେପଟେ କୋଚି ଯାତ୍ରା କରିଥିବା ବିମାନରେ କରୋନା ରୋଗୀ ଚିହ୍ନଟ ହେବା ପରେ କାତାର ଏୟାରୱେଜ ପକ୍ଷରୁ ଭାରତୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ ରଖିଥିବା କୁହାଯାଇଛି ।

କେରଳରେ ୫ ନୂଆ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ପୂର୍ବରୁ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ବେଳେ ସେମାନେ ଚିକିତ୍ସିତ ହୋଇ ଭଲ ହେବା ପରେ ଘରକୁ ଫେରିଯାଇଛନ୍ତି । ଚୀନ୍‌ର ସର୍ବାଧିକ କରୋନା ପ୍ରଭାବିତ ୱୁହାନ ସହରର ଏକ ମେଡିକାଲ କଲେଜରେ ସେମାନେ ପାଠ ପଢ଼ୁଥିଲେ । ଅନ୍ୟପକ୍ଷରେ ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଅରୁଣାଚଳ ପ୍ରଦେଶ ସରକାର ରାଜ୍ୟକୁ ସବୁ ବିଦେଶୀ ପର୍ଯ୍ୟଟକଙ୍କ ପରିଦର୍ଶନ ଉପରେ ରୋକ୍‌ ଲଗାଇଛନ୍ତି । ବିଦେଶୀ ନାଗରିକ କିମ୍ବା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଯୋଗୁ ଦେଶରେ କରୋନା ଭାଇରସ ସଂକ୍ରମଣ ଘଟଣା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶୀଙ୍କ ପାଇଁ ଜାରି କରାଯାଉଥିବା ପିଏପି (ପ୍ରୋଟେକ୍ଟେଡ ଏରିଆ ପରମିଟ୍‌)କୁ ରଦ୍ଦ କରିଦିଆଯାଇଛି ।

ପୂର୍ବରୁ ସିକିମ୍‌ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ରୋକ୍‌ ଲଗାଇଛି । ତେବେ ଭାରତକୁ ଆସିବାକୁ ଚାହୁଁଥିବା ବିଦେଶୀମାନେ ପିଏପି ସାଙ୍ଗରେ ଆଣିବାକୁ କୁହାଯାଇଛି । ସେହିଭଳି ପଶ୍ଚିମବଙ୍ଗ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ମାର୍ଚ୍ଚ ୯ ତାରିଖ (ସୋମବାର)ରେ ହେବାକୁ ଥିବା ହୋଲିମିଲନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଆସାମରେ ହେବାକୁ ଥିବା କାଜିରଙ୍ଗା ଉତ୍ସବକୁ ମଧ୍ୟ ରଦ୍ଦ କରିଦିଆଯାଇଛି । ଦିଲ୍ଲୀ ସରକାର ରବିବାର କରୋନା ସଂକ୍ରମଣ ପରିସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି କରୋନା ସଂକ୍ରମଣ ରୋକିବାକୁ ଯଥାସମ୍ଭବ ପ୍ରୟାସ କରାଯାଉଛି । ସବୁ ବସ୍‌ ଓ ମେଟ୍ରୋ ଟ୍ରେନକୁ ନିୟମିତ ଭାବେ ସାନିଟାଇଜ କରାଯାଉଛି । ଦିଲ୍ଲୀର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ପୃଥକ ଭାବେ ରଖାଯାଇଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ଇତିମଧ୍ୟରେ ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ରବିବାର ୩,୮୦୨କୁ ବୃଦ୍ଧି ପାଇଛି । ତା’ଛଡା ଏହି ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧,୦୯,୬୩୨ ହୋଇଛି । ଚୀନ୍‌ରେ ରବିବାର ଗୋଟିଏ ଦିନରେ ୨୮ଜଣଙ୍କର ମୃତ୍ୟୁ ଘଟିବା ପରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩,୦୯୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରବିବାର ୫୨ ଜଣ ନୂଆ ରୋଗୀ ଚିହ୍ନଟ ହେବା ଫଳରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୦,୭୦୩ ହୋଇଛି । ଅନ୍ୟପକ୍ଷରେ ଇରାନରେ ରବିବାର ୪୯ ଜଣଙ୍କ ମୃତ୍ୟୁ ଘଟିବା ଯୋଗୁ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୯୪ ହୋଇଛି । ସେହିଭଳି ଦେଶରେ ୭୪୩ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ରୋଗୀଙ୍କ ସଂଖ୍ୟା ୬,୫୬୬ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *