
ନୂଆଦିଲ୍ଲୀ : ଭାରତ ସହିତ ସମଗ୍ର ବିଶ୍ବପାଇଁ ପ୍ରାଣଘାତୀ ସାଜିଥିବା କରୋନା ଭାଇରସକୁ ଦିଲ୍ଲୀ ସରକାର ଆଜି ମହାମାରୀ ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀର ସମସ୍ତ ପିଲ୍ମ ହଲ୍ ଗୁଡିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହାର ଘୋଷଣା କରିଛନ୍ତି। ଏହାଛଡା ଯେଉଁ ସ୍କୁଲ ଓ କଲେଜରେ ପରୀକ୍ଷା ଶେଷ ହୋଇଯାଇଛି, ତାହାକୁ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।
ଭାରତରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ମାମଲା ଦେଖି ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ବୋଲି ଜଣାପଡିଛି। ଗୁରୁବାର ଉତ୍ତର ପ୍ରଦେଶର, ଲଦାଖ, ମହାରାଷ୍ଟ୍ରରେ କିଛି ମାମଲା ସାମନାକୁ ଆସୁଛି।
ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି କାରଣରୁ ଏବେ ଫିଲ୍ମର ବକ୍ସ ଅଫିସ ଉପରେ ପ୍ରଭାବ ପଡିବ। ୧୩ ମାର୍ଚ୍ଚରେ ଇରଫାନ୍ ଖାନଙ୍କ ଫିଲ୍ମ ଇଂଲିସ ମିଡିୟନ ରିଲିଜ୍ ହେବାକୁ ଯାଉଛି। ୨୦ରେ ‘ସନ୍ଦୀପ ଓ ପିଙ୍କି ଫରାର’ ହେବାକୁ ଯାଉଛି ଓ ୨୪ ମାର୍ଚ୍ଚରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାର ଅଛି। କିନ୍ତୁ ଦିଲ୍ଲୀର ଫିଲ୍ମ ହଲ୍ ଗୁଡିକ ବନ୍ଦ ହେବା କାରଣରୁ ଏହାର କଲେକ୍ସନ ଓ ଦର୍ଶକଙ୍କ ମନୋରଞ୍ଜନ ଉପରେ ଖରାପ ପ୍ରଭାବ ପଡିବ।
କରୋନା କାରଣରୁ ମଧ୍ୟ ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଉପରେ ସଙ୍କଟର ବାଦଲ ଛାଇ ହୋଇ ରହିଛି। ଏହା ଭିତରେ ଆଜି ମୋଦି ଟ୍ବିଟ୍ କରି କହିଛନ୍ତି, ଦେଶବାସୀଙ୍କୁ କରୋନା ଭାଇରସ୍ କାରଣରୁ ଆତଙ୍କିତ ହେବାର ଦରକାର ନାହିଁ, ସରକାର ଏହାକୁ ନେଇ ସତର୍କ ଅଛନ୍ତି।