
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଠାରୁ ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ସମସ୍ତ ଭିସାକୁ ସରକାର ରଦ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ତରୀୟ ବୈଠକ ପରେ ଭାରତ ସରକାରଙ୍କ ଏମିତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
କେବଳ ରାଜନୈତିକ ବ୍ୟକ୍ତି ଓ ଜାତିସଂଘ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଭିସାକୁ ରଦ୍ଦ କରାଯାଇଛି। ଯଦି କୌଣସି ବିଦେଶୀ ଜରୁରୀ ପରିସ୍ଥିତିରେ ଭାରତ ଆସିବାକୁ ଚାହୁଁଛନ୍ତି, ତେବେ ଏନେଇ ସେମାନେ ସେଠାକାର ଦୂତାବାସ ସହ ଯୋଗାଯୋଗ କରିପାରିବେ।
ଏଥିସହ ୧୫ ଫେବ୍ରୁଆରୀ ପରେ ଚୀନ, ଇଟାଲୀ, ଇରାନ, କୋରିଆ, ଫ୍ରାନ୍ସ, ସ୍ପେନ୍ ଓ ଜର୍ମାନୀରୁ ଆସିଥିବା କିମ୍ବା ଯାତ୍ରା କରିଥିବା ବ୍ୟକ୍ତିଙ୍କୁ ୧୪ ଦିନ ଯାଏଁ ନଜରରେ ରଖାଯିବ । ଭାରତୀୟଙ୍କ ବିଦେଶ ଯାତ୍ରା ଉପରେ ଆଡଭାଇଜାରି ଜାରି କରାଯାଇଛି । ଆବଶ୍ୟକ ନଥିଲେ ଭାରତୀୟଙ୍କୁ ବିଦେଶ ନଯିବା ଲାଗି ପରାମର୍ଶ ଦିଆଯାଇଛି । ଭାରତକୁ ଫେରିଲେ ସେମାନଙ୍କୁ ମଧ୍ୟ ୧୪ ଦିନ ପାଇଁ ନଜରରେ ରଖାଯିବ ବୋଲି ସୂଚନା ଦିଆଯାଇଛି।