
କରୋନା ଭୂତାଣୁ ବ୍ୟାପିବା ପରେ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ପୂର୍ବ ନିର୍ଧାରିତ ସମୟରେ ଆୟୋଜନ ହେବା ନେଇ ସନ୍ଦେହ ଦେଖାଦେଇଛି। ଆୟୋଜନ ହେଲେ ମଧ୍ୟ ଏହି ଲୋକପ୍ରିୟ ଲିଗ୍ ତା’ର ପୁରୁଣା ଚମକ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ହେବାକୁ ଥିବା ସମସ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ କରିବାକୁ ନିର୍ଦେଶ ଦେଇଛନ୍ତି। ବାତିଲ କରିବାରେ ବୈଷୟିକ ଅସୁବିଧା ଥିଲେ, ବିନା ଦର୍ଶକରେ ଓ ବନ୍ଦ ଫାଟକ ଭିତରେ ପ୍ରତିଯୋଗିତା ଆୟୋଜନ କରିବାକୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ପରାମର୍ଶ ଦେଇଛନ୍ତି। ଏବେ ସବୁ କିଛି ବିସିସିଆଇ ଉପରେ ନିର୍ଭର କରୁଛି। ଲିଗ୍କୁ ବାତିଲ କରାନଗଲେ, ଚଳିତ ବର୍ଷ ଆଇପିଏଲ୍ ବିନା ଦର୍ଶକରେ ଫାଙ୍କା ଷ୍ଟାଡିୟମରେ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଲିଗ୍କୁ ବନ୍ଦ କିମ୍ବା ବାତିଲ କରିବାକୁ ସରକାର ନିର୍ଦେଶ ଦେଇନାହାନ୍ତି ବୋଲି ରିଜିଜୁ କିନ୍ତୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ନିୟମାବଳୀକୁ ସବୁ କ୍ରୀଡ଼ା ସଂଗଠନକୁ ମାନିବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ନିୟମାବଳୀ ପାଳନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। କୌଣସି ସ୍ଥାନରେ ଯେମିତି ଅନାବଶ୍ୟକ ଭାବେ ଭିଡ଼ ନ ଜମେ, ତା’ ଉପରେ ନଜର ରଖିବାକୁ ସବୁ ରାଜ୍ୟକୁ ନିର୍ଦେଶ ଦିଆଯାଇଛି। ବୁଧବାର କରୋନାକୁ ନେଇ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ୭ଟି ପରାମର୍ଶ ଜାରି କରିଥିଲା। ଆଇପିଏଲ୍-୧୩ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଅଛି। ତେବେ ଏଥିନେଇ ରିଜିଜୁ କହିଛନ୍ତି ଯେ ସାଧାରଣତଃ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ହଜାର ହଜାର ଲୋକ ଷ୍ଟାଡିୟମ ଆସିଥାଆନ୍ତି। ଏଭଳି ସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ଢେର ଅଧିକ ରହିଥାଏ। ସାଧାରଣ ଜନତାଙ୍କ ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ, ଏଭଳି ଗହଳିକୁ ରୋକିବାକୁ ଆମେ ପଦକ୍ଷେପ ନେଇଛୁ। ଆୟୋଜକ ବିନା ଦର୍ଶକରେ ମ୍ୟାଚ୍ ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ। ଆଇପିଏଲ କରିବା ନ କରିବା ନିଷ୍ପତ୍ତି ଆୟୋଜକଙ୍କ ଉପରେ ଛାଡ଼ିଥିଲେ ମଧ୍ୟ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ବୈଦେଶିକ ମନ୍ତ୍ରାଳୟ ଆଜି ବିସିସିଆଇକୁ ପରାମର୍ଶ ଦେଇଛି।
ଏପଟେ ସନରାଇଜର୍ସ୍ ହାଇଦରାବାଦର ଓପେନିଙ୍ଗ୍ ବ୍ୟାଟସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ଭିସା ଆବେଦନ ଖାରଜ ହୋଇଯାଇଛି । ତେବେ ଏ ନେଇ କୌଣସି କାରଣ ଉଲ୍ଲେଖ କରାଯାଇନାହିଁ । ଦର୍ଶକମାନଙ୍କ ମଧ୍ୟରେ ଆଇପିଏଲ୍ କୁ ନେଇ ଆଶଙ୍କା ଜାରି ରହିଛି ।