
ନୂଆଦିଲ୍ଲୀ :ସଙ୍କଟ ମଧ୍ୟରେ ଥିବା ୟେସ୍ ବ୍ୟାଙ୍କର ପୁନର୍ଗଠନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏହାକୁ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ସ୍କିମ୍ ଜମାକାରୀଙ୍କୁ ସୁରକ୍ଷା ଦେବା ସହ ଆର୍ଥିକ ବ୍ୟବସ୍ଥାରେ ସ୍ଥିରତା ଆଣିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୟେସ୍ ବ୍ୟାଙ୍କରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ୪୯% ପର୍ଯ୍ୟନ୍ତ ଇକ୍ୱିଟି ନିବେଶ କରିବ । ଅନ୍ୟ ଏକ ରିପୋର୍ଟରୁ ଜଣାଯାଇଛି ଯେ, ଆଇଆଇସିଆଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ୫% ଅଂଶଧନ ପାଇଁ ୧୦୦୦ କୋଟି ଟଙ୍କା ନିବେଶ କରିବ । ଏଚ୍ଡିଏଫ୍ସି ମଧ୍ୟ ୧୦୦୦ କୋଟି ଟଙ୍କା ନିବେଶ କରିବ।
ସେହିଭଳି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏକ୍ସିସ୍ ବ୍ୟାଙ୍କ ୫୦୦ କୋଟି ଟଙ୍କା ଲେଖାଏ ନିବେଶ କରି ୟେସ୍ ବ୍ୟାଙ୍କର ୩% ଲେଖାଏଁ ଅଂଶଧନ ଧରିବେ । ରାଧାକିଶନ ଦମାନି, ରାକେଶ ଝୁନ୍ଝୁନ୍ୱାଲା ଏବଂ ଅଜୀମ ପ୍ରେମ୍ଜୀ ମଧ୍ୟ ୫୦୦ କୋଟି ଟଙ୍କା ଲେଖାଏ ନିବେଶ କରିବେ ବୋଲି ଜଣାଯାଇଛି । ଏସ୍ବିଆଇ ବ୍ୟାଙ୍କର ୭୨୫ କୋଟି ସେୟାରକୁ ୧୦ ଟଙ୍କା ହାରରେ କିଣିବ । ଏଥିପାଇଁ ଏହା ୭୨୫୦ କୋଟି ଟଙ୍କା ନିବେଶ କରିବ ।
ଏମାନେ ମିଳିତ ଭାବେ ୧୧,୭୫୦ କୋଟି ଟଙ୍କାର ନିବେଶ କରିବେ । ପୁନର୍ଗଠନ ଯୋଜନା ଅନୁସାରେ ୟେସ୍ ବ୍ୟାଙ୍କରେ ଏହାର ମାତ୍ର ୨୬% ଅଂଶଧନ ଲାଗି ଏସ୍ବିଆଇ ପାଇଁ ୩ ବର୍ଷର ଲକ୍ ଇନ୍ ପିରିୟଡ୍ ରହିବ । ଅର୍ଥାତ ଏହି ୩ ବର୍ଷ ମଧ୍ୟରେ ଏସ୍ବିଆଇ ଉକ୍ତ ଅଂଶଧନକୁ କାଢ଼ିପାରିବ ନାହିଁ ।