ସାର୍କ ରାଷ୍ଟ୍ରଙ୍କୁ ମୋଦିଙ୍କ ଆହ୍ୱାନ, କରୋନା ମୁକାବିଲା ପାଇଁ ଏକାଠି ଲଢ଼ିବା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଏକାଠି SAARC ରାଷ୍ଟ୍ର ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ରାଷ୍ଟ୍ରର ମୁଖ୍ୟଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଲଡିଭସ୍, ନେପାଳ ଏବଂ ଶ୍ରୀଲଙ୍କା ରାଷ୍ଟ୍ରର ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି।

କରୋନା ମୁକାବିଲା ପାଇଁ ସେ ୭ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ଭିଡିଓ କନଫେରେସିଂରେ ମୋଦି କହିଛନ୍ତି ଯେ ଆମେ ଏକଜୁଟ ହୋଇ କରୋନା ମୁକାବିଲା କରିବା। ବିକାଶଶୀଳ ରାଷ୍ଟ୍ର ଆଗରେ କରୋନା ଏକ ବଡ଼ ଚ୍ୟାଲେଞ୍ଚ। କିନ୍ତୁ ସାର୍କ ରାଷ୍ଟ୍ରରେ ୧୫୦ରୁ କମ କରୋନା ମାମଲା ଆସିଛି।

କରୋନାକୁ ନ ଡ଼ରି ସାବଧାନ ଓ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କରୋନା ମୁକାବିଲା ପାଇଁ ଭାରତରେ ଅଭିଯାନ ଜାରି ରହିଛି। ଜାନୁଆରୀରୁ ଆମେ ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ଆରମ୍ଭ କରିଦେଇଛୁ। ବିଭିନ୍ନ ଦେଶରୁ ୧୪ଶହ ଭାରତୀୟଙ୍କୁ ଫେରାଇ ଆଣିଛୁ ବୋଲି ମୋଦି କହିଛନ୍ତି।

ତେବେ କରୋନାକୁ ବ୍ୟାପିବାରୁ କିପରି ରୋକା ଯାଇପାରିବ, ଏହାର ପ୍ରତିକାର ଏବଂ ମୁକାବିଲା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ କିପରି SAARC ରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯାଇପାରିବ ସେ ନେଇ ବି ଆଲୋଚନା ହୋଇଥିଲା।

ଏହି ଭିଡିଓ କନଫରେନ୍ସିଂ ପୂର୍ବରୁ ମୋଦି ଟ୍ୱିଟ୍ କରି ସାର୍କ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ କୌଣସି ପ୍ରସଙ୍ଗରେ ସମସ୍ତେ ଏକମନ ଓ ଏକ ପ୍ରାଣ ହୋଇ କାମ କଲେ ସୁଫଳ ମିଳିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *