
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆଜିଠୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସପିଂମଲ୍କୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ମୁକାବିଲା ପାଇଁ କମିଶନରେଟ୍ ପୁଲିସ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି।
ଓଡ଼ିଶା ଅର୍ବାନ ପୁଲିସ୍ ଆକ୍ଟ ସେକ୍ସନ ୩୫ ଅନୁୟାୟୀ କମିଶନରେଟ ପୁଲିସ୍ ଏଭଳି ନିର୍ଦ୍ଦେଶ ଜାରି କରିଛି। ଆସନ୍ତା ୩୧ ତାରିଖ ଯାଏ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରର ସମସ୍ତ ମଲ ବନ୍ଦ ରଖିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି।
ପୂର୍ବରୁ ବାହାଘର, ମେଳା, ମହୋତ୍ସବ ଆଦି ଉପରରେ କଟକଣା ଲଗାଯାଇଥିଲା। ଏପରିକି ଲୋକଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସେହିପରି ରାଜ୍ୟର ସମସ୍ତ ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍କୁ ମଧ୍ୟ ପୂର୍ବରୁ ବନ୍ଦ ରଖାଯାଇଛି। ଏହି ସବୁ ଅଞ୍ଚଳରେ ଲୋକଙ୍କ ସମାଗମ ବଢ଼ୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।
ଅନ୍ୟପକ୍ଷରେ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭାଇରସ୍ ପ୍ରବେଶ କରିଥିବା ଜଣାପଡ଼ିଛି।