
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭାଇରସ୍ ପ୍ରବେଶ କରିଥିବା ଜଣାପଡ଼ିଛି।
ସଂପୃକ୍ତ ଯୁବକଙ୍କ ରକ୍ତ ନମୁନା ପରୀକ୍ଷା ପରେ RMRCରୁ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।
ସମ୍ପୃକ୍ତ ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ।
ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଯୁବକ ଜଣକ ଯେଉଁ ଟ୍ରେନ୍ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ ସେହି ଟ୍ରେନର ସଂପୃକ୍ତ ବଗିରେ ତାଙ୍କ ସହ ଆସିଥିବା ଯାତ୍ରୀଙ୍କୁ ଠାବ ସହ ସେମାନଙ୍କ ସଂପର୍କରେ ସମସ୍ତ ତଥ୍ୟ ଯୋଗାଡ଼ ପାଇଁ ଚେଷ୍ଟା କରାଯାଉଛି। ଏହାପରେ ସେମାନଙ୍କ ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯିବ। ଏହାସହ ଆକ୍ରାନ୍ତ ଯୁବକଙ୍କ ପରିବାର ଲୋକଙ୍କୁ ଅବଜରଭେସନରେ ରଖାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଇଟାଲିରୁ ଫେରି ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ନମୁନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଘରକୁ ଛଡ଼ା ଯାଇଥିଲା।
ଅନ୍ୟପକ୍ଷରେ, କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଯୁବକଙ୍କ ଟେଷ୍ଟ୍ ରିପୋର୍ଟ ଗତକାଲି ରାତି ୯ଟାରେ ନେଗେଟିଭ୍ ଆସିଥିବା ବେଳେ, ରାତି ୧୨ଟାରେ ପୁଣି ରିପୋର୍ଟ ପଜିଟିଭ କେମିତି ଆସିଲା, ସେନେଇ ଆକ୍ରାନ୍ତ ଯୁବକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ତେଣୁ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ଦାବି କରିଛନ୍ତି ପରିବାର ଲୋକେ।