ଚତୁର୍ଥ ଥର ଲାଗି ଶପଥ ନେଲେ ଶିବରାଜ ସିଂହ ଚୌହାନ

ଭୋପାଲ:  ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି।  ତେବେ ଅନେକ ଦିନର ହଟଚମଟ ପରେ ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଆଜି ରାତିରେ ଶିବାରାଜ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଥିଲା। ଏହା ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶିବରାଜଙ୍କୁ ନେତା ଭାବେ ମନୋନୀତ କରାଯାଇଥିଲା। ଭିଡିଓ କନ୍‌ଫରେନ୍ସିଂରେ ହୋଇଥିବା ଏହି ବୈଠକର ପର୍ଯ୍ୟବେକ୍ଷକ ତଥା ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ, ବିଜେପି ଉପସଭାପତି ତଥା ମଧ୍ୟପ୍ରଦେଶ ପାଇଁ ପ୍ରଭାରୀ ବିନୟ ସହସ୍ରବୁଦ୍ଧେ ଏହି ବୈଠକ ନେଇଥିଲେ।

ଏହି ବୈଠକ ପରେ ମଧ୍ୟପ୍ରଦେଶ ବିଜେପି ଉପସଭାପତି ବିଷ୍ଣୁଦତ୍ତ ଶର୍ମା କହିଥିଲେ, ରାତି ୯ଟାରେ ନିରାଡ଼ମ୍ବର ଭାବେ କେବଳ ଶିବରାଜ ଶପଥ ନେବେ। କରୋନା କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ପ୍ରୋଟୋକଲ୍‌ ପାଳନ କରାଯିବ। ବାକି ସବୁ କାମ ପରେ ହେବ। ଏବେ କୋଭିଡ୍‌-୧୯ ଲଢ଼େଇର ସମୟ।

ବିଜେପିର ପୂର୍ବ ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚତୁର୍ଥ ଥର ପାଇଁ ଏହି ପଦରେ ଶପଥ ନେଇଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍‌ ହେବାର ଥିଲା। କିନ୍ତୁ ଠିକ୍‌ ଏହା ପୂର୍ବରୁ ହିଁ କମଲ ନାଥ ଇସ୍ତଫା ଦେଇ ଦେଇଥିଲେ।

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ କଂଗ୍ରେସର ନେତାଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବା ପରେ ଏଠାକାର ସ୍ଥିତି ଓଲଟି ଯାଇଥିଲା। ସିନ୍ଧିଆ ୧୮ ବର୍ଷରେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ପରେ ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *