୨୧ ଦିନ ପାଇଁ ସାରା ଭାରତ ‘ଲକ୍‌ ଡାଉନ୍’

ନୂଆଦିଲ୍ଲୀ: ସାରା ଦେଶକୁ ଲକ୍‌ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ମୋଦି। ଏଥିସହିତ ସ୍ୱାସ୍ଥସେବାକୁ କ୍ଷୀପ୍ର ଗତିରେ ସୁଧାରିବାକୁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି।

ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ  ସାମାଜିକ ଦୂରତ୍ୱ ଗୋଟିଏ ମାତ୍ର ରାସ୍ତା। ଏଥିପାଇଁ ଲକ୍‌ ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ବଞ୍ଚାଇବା ପାଇଁ ଆଜି ରାତିଠାରୁ ଘରୁ ବାହାରକୁ ବାହାରିବା ପୂରା ବନ୍ଦ କରାଯାଇଛି। ଦେଶର ପ୍ରତି ଗଳିକନ୍ଦିକୁ ଲକ୍‌ ଡାଉନ୍‌ କରାଯିବ। ଏହା ଏକପ୍ରକାର କର୍ଫ୍ୟୁ। ଏହା ଜନତା କର୍ଫ୍ୟୁ ଠାରୁ ଟିକେ ଶକ୍ତ। କରୋନା ବିରୋଧରେ ଲଢ଼ିବାକୁ ଏହା ଗୋଟିଏ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜନତାଙ୍କୁ ସମ୍ବୋଧନ କଲା ବେଳେ ମୋଦି କହିଥିଲେ, କରୋନା ସ୍ଥିତି ସମ୍ପର୍କରେ ଆପଣ ସମାଚାର ମାଧ୍ୟମରେ ଶୁଣୁଛନ୍ତି ଓ ଦେଖୁଛନ୍ତି। ଦୁନିଆର ବଡ଼ ବଡ଼ ଦେଶମାନଙ୍କୁ ଏହି ମହାମାରୀ ବିବଶ କରିଦେଇଛି। ଏହି ଦେଶଗୁଡ଼ିକ ଯେତେ ଚେଷ୍ଟା କଲେ ବି କରୋନା ଏତେ ଶୀଘ୍ର ବ୍ୟାପୁଛି ଯେ ସମସ୍ତ ପ୍ରସ୍ତୁତି ଓ ପ୍ରୟାସ ପରେ ବି ଏହାକୁ ରୋକିହେବନି। ଏହି ଦେଶଗୁଡ଼ିକ ଅନୁଧ୍ୟାନ କରି ଗୋଟିଏ ନିଷ୍କର୍ସ ବାହାରିଛି।

ଏକ୍ସପର୍ଟମାନେ ମଧ୍ୟ ଏହି କଥା କହୁଛନ୍ତି ଯେ ମହାମାରୀ କରୋନାକୁ ରୋକିବା ପାଇଁ ଗୋଟିଏ ମାତ୍ର ସାମାଜିକ ଦୂରତ୍ୱ ବିକଳ୍ପ ହେଲା। ଜଣେ ଜଣଙ୍କଠାରୁ ଦୂରରେ ରହିବା। ନିଜ ଘରେ ହିଁ ବନ୍ଦ ରହିବା। କରୋନାଠୁ ବଞ୍ଚିବା ପାଇଁ ଏହାଛଡ଼ା ଆଉ କୌଣସି ସ୍ଥିତି ନାହିଁ। କରୋନା ସଂକ୍ରମଣକୁ ସାଇକେଲ୍‌କୁ ଭାଙ୍କିବା ପାଇଁ ଏଇ ଗୋଟିଏ ମାତ୍ର ବାଟ ହେଲା ସାମାଜିକ ଦୂରତ୍ୱ ବୋଲି ମୋଦି କହିଛନ୍ତି।
ତେବେ କିଛି ଲୋକ ସୋସିଆଲ୍‌ ଡିଷ୍ଟାନ୍ସିଂ(ସାମାଜିକ ଦୂରତ୍ୱ) କେବଳ ରୋଗୀଙ୍କ ପାଇଁ ବୋଲି ଭାବୁଛନ୍ତି। ଏହା ଠିକ୍‌ ନୁହେଁ। ଏହା ସମସ୍ତଙ୍କ ପାଇଁ । ଏହା ପ୍ରଧାନମନ୍ତ୍ରୀଙ୍କ ପାଇଁ ବି। କିଛି ଲୋକଙ୍କ ଭ୍ରାନ୍ତ ଚିନ୍ତାଧାରା ଆପଣଙ୍କ ପରିବାର, ବନ୍ଧୁ. ଓ ପୂରା ଦେଶକୁ ବଡ ମୁସ୍କିଲ୍‌ରେ ପକାଇବେ। ଯଦି ଏମିତି ବେପରୁଆ ଆପଣ ଜାରି ରହିବ ତେବେ ଭାରତକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଏହା କେତେ ବଡ଼ ହେବ ଯେ ତାହା ଅନୁମାନ କରିବା କଷ୍ଟକର।

ମୋଦି କହିଛନ୍ତି, ଜାନ୍ ହେ ତୋ ଯାହାନ ହେ। ଏକଥା ମନେ ରଖିବାକୁ ପଡ଼ିବ। ଏବେ ଧୈର୍ଯ୍ୟ ଓ ଅନୁଶାସନର ସମୟ। ତେଣୁ ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ। ଆଉ ଯେଉଁମାନେ କରୋନା କବଳରୁ ଆପଣଙ୍କୁ ରକ୍ଷା କରିବାକୁ ଦିନରାତି କାମ କରୁଛନ୍ତି ସେମାନଙ୍କ ମଙ୍ଗଳକାମନା କରନ୍ତୁ।

ମୋଦି କହିଛନ୍ତି, ମୁଁ ଆପଣଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଛି କି ଆପଣ ଏହି ସମୟରେ ଯେଉଁ ସ୍ଥାନରେ ଅଛନ୍ତି ସେହିଠାରେ ହିଁ ରୁହନ୍ତୁ।
ଏକସ୍ପର୍ଟମାନେ କହୁଛନ୍ତି କରୋନା ସଂକ୍ରମଣ ସାଇକେଲ୍‌କୁ ରୋକିବାକୁ କମ୍‌ସେ କମ୍‌ ୨୧ ଦିନର ସମୟ ବହୁତ ମୂଲ୍ୟବାନ। ଯଦି ଏହି ୨୧ ଦିନ ସମ୍ଭାଳି ପାରିବେନି ତେବେ ଦେଶ ଓ ଆପଣଙ୍କ ପରିବାର ୨୧ ବର୍ଷ ପଛକୁ ଫେରିଯିବ। ଅନେକ ପରିବାର ସବୁଦିନ ପାଇଁ ନଷ୍ଟ ହୋଇଯିବ। ଏହି କଥା ଜଣେ ପ୍ରଧାନମନ୍ତ୍ରୀ ହିସାବରେ କହୁନି, ଆପଣଙ୍କ ପରିବାର ସଦସ୍ୟ ହିସାବରେ କହୁଛି ବୋଲି ମୋଦି କହିଛନ୍ତି। ତେଣୁ ଏହି ୨୧ ଦିନ ପାଇଁ ବାହାରକୁ ବାହାରିବା ଭୁଲି ଯାଆନ୍ତୁ। ଘରେ ରୁହନ୍ତୁ ମୋଦି ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି।

ଆଜିର ଲକ୍‌ଡାଉନ୍‌ ଆପଣଙ୍କ ଘର ବାହାରେ ଲକ୍ଷ୍ଣଣ ରେଖା ଟାଣି ଦେଇଛି। ଆପଣ ବାହାରକୁ ବାହାରିଲେ କୋରନା ମହାମାରୀ ଆପଣଙ୍କ ଘରେ ପଶିବ ବୋଲି ମୋଦି କହିଛନ୍ତି।

ଏଥିସହିତ ଆଜି ସମ୍ବୋଧନ କଲାବେଳେ ଘରେ ଥାଇ ସୋସିଆଲ୍‌ ମିଡିଆରେ ସଚେତନ ବାର୍ତ୍ତା ବାଣ୍ଟୁ ଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବା ସହିତ ଏହାର ଏକ ଉଦାହରଣ ମଧ୍ୟ ଦେଖାଇଥିଲେ ମୋଦି।

ପ୍ରଧାନମନ୍ତ୍ରୀ କହିଥିଲେ, ଏକ୍ସପର୍ଟଙ୍କ ମତରେ ଶରୀରରେ କରୋନା ସଂକ୍ରମଣ ଜଣାପଡ଼ିବାକୁ କିଛି ଦିନ ଲାଗିଥାଏ। ଲାଗିଥାଏ ଏହି ସମୟରେ ସଂକ୍ରମିତ ଜାଣତରେ କିମ୍ବା ଅଜାଣତରେ ଅନେକ ଲୋକଙ୍କ ସଂକ୍ରମିତ କରିଥାଏ। ତେଣୁ ଦୂରତ୍ୱ ନିହାତି ଆବଶ୍ୟକ।
ସେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର ଏକ ଡାଟା ଉପସ୍ଥାପନ କରି କହିଥିଲେ, ଡବ୍ଲୁଏଚ୍‌ଓ କହିବାନୁସାରେ, ଏକ ଲକ୍ଷ ଲୋକଙ୍କୁ କରୋନା ସଂକ୍ରମଣ ହେବାକୁ ୬୮ ଦିନ ଲାଗିଥିଲା। ଏହାପରେ କେବଳ ୧୧ ଦିନରେ ଦୁଇ ଲକ୍ଷ ଲୋକ ସଂକ୍ରମିତ ହୋଇଗଲେ। ପୁଣି ୪ ଦିନରେ ଏହି ସଂଖ୍ୟା ୩ ଲକ୍ଷରେ ପହଞ୍ଚିଗଲା। ଏଥିରୁ ଅନୁମାନ କରନ୍ତୁ ଯେ କରୋନା କେତେ ଶୀଘ୍ର ବ୍ୟପିଥାଏ ବୋଲି ମୋଦି କହିଥିଲେ।

ଚୀନ, ଆମେରିକା, ଫ୍ରାନ୍ସ, ଇଟାଲୀ ଭଳି ରାଷ୍ଟ୍ରରେ ଅବସ୍ଥା ଆଜି ବେକାବୁ। ଆମେରିକା ଓ ଇଟାଲୀରେ ସବୁଠାରୁ ଅଧିକ ଓ ଭଲ ବ୍ୟବସ୍ଥା ଅଛି। କିନ୍ତୁ ତଥାପି ସେମାନେ କରୋନାକୁ ଅଟକାଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ସୋସିଆଲ୍‌ ଡିଷ୍ଟାନ୍ସିଂ ପାଳନ କରି ଏହି ଦେଶମାନେ ଧୀରେ ଧୀରେ କରୋନା ଦାଉରୁ ମୁକୁଳିଲେଣି। ତେଣୁ ଆମକୁ ବି ଏହି ମାର୍ଗକୁ ମାନିବାକୁ ପଡ଼ିବ। ଯାହା ବି ହେଉ ଆମକୁ ଘରେ ରହିବାକୁ ପଡ଼ିବ।

ତେବେ ଆବଶ୍ୟକୀୟ ସାମଗ୍ରୀ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଜୀବନ ବଞ୍ଚିପାଇଁ ଯାହା ଆବଶ୍ୟକ ତାକୁ ପ୍ରାଥମିକତା ଦିଆଯିବ। ତେଣୁ ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସରକାର ନିରନ୍ତର ନିଷ୍ପତ୍ତି ନେଇଛନ୍ତି।
କରୋନା ଚିକିତ୍ସା ପାଇଁ ଦେଶର ହେଲ୍‌ଥ ଇନ୍‌ଫ୍ରା ଷ୍ଟ୍ରକ୍ଚରକୁ ବଢ଼ାଇବା ପାଇଁ ସରକାର ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଏଥିରେ କରୋନାରେ ସମ୍ପର୍କିତ ଟେଷ୍ଟିଂ ସୁବିଧା, ବ୍ୟକ୍ତି ସୁରକ୍ଷା ସାମଗ୍ରୀ, ଆଇସୋଲେସନ୍‌ ବେଡ୍‌, ଆସିୟୁ ବେଡ୍‌, ଭେଣ୍ଟିଲେଟର୍ସ ଓ ଅନ୍ୟ ଜରୁରୀ ସାଧାନ ସଂଖ୍ୟା ଶୀଘ୍ର ବଢ଼ାଇବା ଦିଗରେ କାର୍ଯ୍ୟ କରାଯିବ। ଏଥିସହିତ ମେଡିକାଲ୍ ଓ ପାରାମେଡିକାଲ ଟ୍ରେନିଂ କାମ କରାଯିବ ବୋଲି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏଥିସହିତ ଦେଶର ସମସ୍ତ ପ୍ରକାର ପ୍ରାଇଭେଟ୍‌ ସେକ୍ଟର ସରକାରଙ୍କ କାନ୍ଧରେ କାନ୍ଧ ମିଳାଉଥିବାରୁ ଖୁସି ବ୍ୟକ୍ତି କରିଥିଲେ ମୋଦି।

ଗୁଜବ ଖବରକୁ ବିଶ୍ୱାସ ନକରିବା ପାଇଁ ମୋଦି ଅନୁରୋଧ କରିବା ସହିତ ଏହି ନିର୍ଦ୍ଦେଶକୁ ସାରା ଦେଶବାସୀ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *