ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍‌ ଲିଙ୍କ୍ ସମୟସୀମା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ପୈଠ ସମୟସୀମା ଘୁଞ୍ଚିଲା। ଏହି ସମୟସୀମାକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଧାର-ପାନ୍‌ ଲିଙ୍କ ସମୟ ସୀମା ମଧ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ମୁକାବିଲା ନେଇ ସାରା ଦେଶରେ ତାଲାବନ୍ଦ ନିର୍ଦ୍ଦେଶ ଦିଆଯାଇଥିବାରୁ ସମୟସୀମା ଘୁଞ୍ଚାଇ ଦିଆଯାଇଛି।

ଏଥିସହିତ ୨୦୨୦ ବର୍ଷ ପାଇଁ ମାର୍ଚ୍ଚ, ଏପ୍ରିଲ୍‌ ଓ ମେ ମାସର ଜିଏସ୍‌ଟି ରିଟର୍ଣ୍ଣ କରିବାର ସମୟ ମଧ୍ୟ ଜୁନ୍‌ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୫ କୋଟି ଟର୍ଣ୍ଣ ଓଭର କରିଥିବା କମ୍ପାନୀଗୁଡ଼ିକ ପାଇଁ ବିଳମ୍ବ ଜିଏସ୍‌ଟି ପୈଠ ଚାର୍ଜ ଲାଗିବ ନାହିଁ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏଥିସହିତ ବର୍ତ୍ତମାନ କରୋନା ସ୍ଥିତିରେ କମ୍ପାନୀଗୁଡ଼ିକର ବୋର୍ଡ ମିଟିଂକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦେବା ବାଧ୍ୟତାମୂଳକ କରାଯାଇଛି।  ତା ସହିତ ଅନ୍ୟ ଆର୍ଥିକ ଯୋଜନା ଏମିତିକି ‘ବିବାଦ ସେ ବିଶ୍ୱାସ’ ଯୋଜନାରେ ଟ୍ୟାକ୍ସ ରିଟର୍ଣ୍ଣ ସମୟସୀମା ମଧ୍ୟ ଜୁନ୍‌ ୩୦କୁ ଘୁଞ୍ଚାଇ ଦିଆଯାଇଛି।

ଏଭଳି ସଂକଟ ସମୟରେ ବ୍ୟାପାର ବାଣିଜ୍ୟ ଯେମିତି ପ୍ରଭାବିତ ନହୁଏ ସେଥିପାଇଁ ଆୟକର ବିଭାଗ ୨୪.୭ ଘଣ୍ଟା କାମ କରିବା ସହିତ ଏକ ଆର୍ଥିକ ପ୍ୟାକେଜ୍‌ ଆଣିବା ଦିଗରେ ସରକାର କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

ସେହିଭଳି ବିଭିନ୍ନ ବ୍ୟାଙ୍କର ଏଟିମ୍‌ରେ ଡେବିଟ୍‌ କାର୍ଡ ବ୍ୟବହାର ଚାର୍ଜକୁ ୩ ମାସ ପାଇଁ ଫ୍ରି କରାଯାଇଛି। ଏଥିସହିତ ସେଭିଂ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ରଖିବା ନିୟମକୁ ଉଠାଇ ନିଆଯାଇଛି।  ଏଣିକି ଡେବିଟ୍‌ କାର୍ଡ ବ୍ୟବହାରକାରୀ ଯେକୌଣସି ବ୍ୟାଙ୍କ୍‌ ଏଟିଏମ୍‌ରେ ଟଙ୍କା ଉଠାଇଲେ ୩ ମାସ ପାଇଁ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ।

ସେହିଭଳି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିଲେ ୬ ଭିତରେ କରିବା ଘୋଷଣାନାମା ପୈଠ କରିବାକୁ ପଡ଼ୁଥିଲା ଏବେ ଏହି ସମୟକୁ ଆହୁରି ୬ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଏମ୍‌ଏମସ୍‌ମୀ  ଆଜି ଗଣମାଧ୍ୟମକୁ ସୂଚନା ଦେଲାବେଳେ ସୀତାରମଣ କହିଛନ୍ତି, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ପାଇଁ ପୂର୍ବରୁ ଥିବା ଆର୍ଥିକ ରାଶିକୁ ୧ ଲକ୍ଷରୁ ବଢ଼ାଇ କୋଟିଏ ଟଙ୍କା କରିଦିଆଯାଇଛି।

Leave a Reply

Your email address will not be published. Required fields are marked *