ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ

ଟୋକିଓ: କରୋନା ମହାମାରୀ ଯୋଗୁଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ। ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଚଳିତ ବର୍ଷ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ତେବେ ମହାମାରୀ କାୟା ବିସ୍ତାର ଯୋଗୁ ଏହି କ୍ରୀଡ଼ା ମହାକୁମ୍ଭକୁ ଚଳିତ ବର୍ଷ ପାଇଁ ବାତିଲ କରାଯାଇଛି।

ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ୍ ବାକଙ୍କୁ ପ୍ରସ୍ତାବ ଦେଇଥିଲେ। ଆବେଙ୍କ ଏହି ପ୍ରସ୍ତାବରେ ଆଇଓସି ରାଜି ମଧ୍ୟ ହୋଇଛି। ଆବେ କହିଛନ୍ତି, କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ କରାଯାଇପାରିବ ନାହିଁ। ଏହି ଗେମ୍ସକୁ ସ୍ଥଗିତ କରିବା ଛଡ଼ା ଆମ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ଆବେ ଆଇଓସି ମୁଖ୍ୟ ବାକଙ୍କ ସହ ଟେଲିଫୋନ୍ ଜରିଆରେ ଏ ନେଇ ଆଲୋଚନା କରିଛନ୍ତି। ସ୍ଥଗିତ ହେବା ସତ୍ତ୍ୱେ ଅଲିମ୍ପିକ୍ସ ଟୋକିଓ-୨୦୨୦ ନାମରେ ନାମିତ ହେବ।

ସେହିପରି ଆଇଓସି ଓ ଟୋକିଓ-୨୦୨୦ର ଆୟୋଜନ କମିଟି ପକ୍ଷରୁ କୁହାଯାଇଛି, ଜାପାନର ପ୍ରଧାନମନ୍ତ୍ରୀ ଓ ଆଇଓସି ଅଧ୍ୟକ୍ଷଙ୍କ ମଧ୍ୟ ଆଲୋଚନା ପରେ ଅଲିମ୍ପିକ୍ସକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ଗେମ୍ସ ୨୦୨୧ରେ ଆୟୋଜିତ ହେବ। ତେବେ ଏହାକୁ ୨୦୨୧ ଗ୍ରୀଷ୍ମ ପୂର୍ବରୁ ଆୟୋଜନ କରାଯିବ। ଆଥଲେଟଙ୍କ ସ୍ୱାସ୍ଥ୍ୟ, ଅଲିମ୍ପିକ୍ସ ଖେଳ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ସାମିଲ୍ ପ୍ରତିଟି ବ୍ୟକ୍ତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଅଲିମ୍ପିକ୍ସ ଆୟୋଜନ ନେଇ ପୂର୍ବରୁ ହିଁ ଆଶଙ୍କା ଦେଖା ଦେଇଥିଲା। ବିଭିନ୍ନ ଦେଶଗୁଡ଼ିକ ମଧ୍ୟ ଏହି କ୍ରୀଡ଼ାକୁ ସ୍ଥଗିତ କରିବା ପାଇଁ ଆଇଓସିକୁ ଦାବି କରିଥିଲେ। ଏପରିକି କାନାଡା ଓ ଅଷ୍ଟ୍ରେଲିଆ ତା’ର ଆଥଲେଟ୍ସଙ୍କୁ ଟୋକିଓ ପଠାଇବାକୁ ସିଧାସଳଖ ମନା କରିଦେଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ଜାପାନର ଅଲିମ୍ପିକ୍ ମନ୍ତ୍ରୀ ସିଇକୋ ହାଶିମୋତୋ କହିଥିଲେ ଯେ ଅଲିମ୍ପିକ୍ସ ଆୟୋଜନ ପାଇଁ ତାଙ୍କ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ସେହିପରି ଆଇଓସି କହିଥିଲା ଯେ ଅଲିମ୍ପିକ୍ସ ଆୟୋଜନକୁ ନେଇ କୌଣସି ନିଷ୍ପତ୍ତି ଆଗାମୀ ମାସକ ଭିତରେ ନିଆଯିବ। ଏହା ପରେ ଜାପାନର ପ୍ରଧାନମନ୍ତ୍ରୀ ଆବେଙ୍କ ଘରେ କ୍ୟାବିନେଟ୍ ବୈଠକ ହୋଇଥିଲା, ଯେଉଁଥିରେ ସେ ଆଇଓସି ମୁଖ୍ୟଙ୍କ ନିକଟରେ ଏହି କ୍ରୀଡ଼ାକୁ ସ୍ଥଗିତ କରିବା ନେଇ ପ୍ରସ୍ତାବ ରଖିଥିଲେ।

ଅଲିମ୍ପିକ୍ସ ସ୍ଥଗିତ ହେବା ନେଇ ଦୁଇଥରର ଅଲିମ୍ପିକ୍ସ ଚାମ୍ପିୟନ୍ ସୁଇମର୍ କେଟ୍ କ୍ୟାମ୍ପବେଲ୍ କହିଛନ୍ତି, ଅଲିମ୍ପିକ୍ସ ସ୍ଥଗିତ ହେବା ନିଶ୍ଚିତ ଭାବେ ନିରାଶ କରିଛି, କିନ୍ତୁ ଏଥିରେ ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ। ୧୨୪ ବର୍ଷର ଇତିହାସରେ କେବେବବି ଅଲିମ୍ପିକ୍ସ ଗେମ୍ସକୁ ସ୍ଥଗିତ କରାଯାଇନାହିଁ। ୧୯୧୬, ୧୯୪୦, ୧୯୪୪ରେ ବିଶ୍ୱ ଯୁଦ୍ଧ କାରଣରୁ ଅଲିମ୍ପିକ୍ସ କ୍ରୀଡ଼ାକୁ ବାତିଲ୍ କରିଦିଆଯାଇଥିଲା।

ଟୋକିଓ ଅଲିମ୍ପିକ୍ସ ଆନୁଷ୍ଠାନିକ ଭାବେ ସ୍ଥଗିତ ହେବା ପରେ ଏହାକୁ ବିଭିନ୍ନ ଦେଶର କ୍ରୀଡ଼ା ସଂଘ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ ବାକ୍ ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମିଳିତ ଭାବେ ମଙ୍ଗଳବାର ସନ୍ଧ୍ୟାରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଟୋକିଓ ଅଲିମ୍ପିକ୍ସ ଆୟୋଜକଙ୍କ ସମେତ ହକି ଇଣ୍ଡିଆ, ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସମର୍ଥନ କରିଛି।

Leave a Reply

Your email address will not be published. Required fields are marked *