ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର : କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ବଡ ସଙ୍କଟ ଭାବରେ ଦେଖାଦେଇଛି । ଏହି ଭାଇରସ୍ ଯୋଗୁଁ ଅନେକ ଲୋକଙ୍କ ଜୀବିକା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ସଙ୍କଟ ମଧ୍ୟରେ ରାଜ୍ୟରେ ଗରିବ ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୨୨ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

ଖାଦ୍ୟ ସୁରକ୍ଷାର ସବୁ ହିତାଧିକାରୀଙ୍କୁ ରାଜ୍ୟ ସରକାର ୩ ମାସର ରାସନ ଆଗୁଆ ଦେଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯାଉଛି । ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିଭଳି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *