
ଭୁବନେଶ୍ୱର : ରାଜ୍ୟ ବିଧାନସଭା ଜୋନାଲ ଡିସ୍ପେନ୍ସାରୀର ମେଡିକାଲ ଅଫିସର ଡା. ଲଳିତ ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ଡିସ୍ପେନସାରୀକୁ ଆସିଥିଲେ । ମାତ୍ର ଏ ସଂପର୍କିତ ସୂଚନା ବିଳମ୍ବରେ ଅବଗତ କରାଇବା ଅଭିଯୋଗରେ ରାଜ୍ୟ ସରକାର ଡା. ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଛନ୍ତି । ଏ ନିଲମ୍ବନ ଅବଧିରେ ଡା. ବେହେରାଙ୍କ ହେଡକ୍ୱାର୍ଟର୍ସ କ୍ୟାପିଟାଲ ହସ୍ପିଟାଲ ରହିଛି । ବିନାନୁମତିରେ ଡା.ବେହେରା ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ତୃତୀୟ କରୋନା ପଜିଟିଭ୍ ଗତ ୧୬ରେ ବିଧାନସଭା ଡିସପେନସାରୀ ଚିକିତ୍ସା ପାଇଁ ଯାଇଥିଲେ । ଏହା ଜଣାପଡ଼ିବା ପରେ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ବିଧାନସଭାର ଅଧିବେଶନ ମଧ୍ୟ ଲୋକସେବା ଭବନକୁ ସ୍ଥାନାନ୍ତର କରାଯାଇଛି ।