
ଭୁବନେଶ୍ୱର : ଓଡ଼ିଶାରେ ତୃତୀୟ ରୋଗୀ ଚିହ୍ନଟ ହେବା ପରେ କରୋନାକୁ ନେଇ ବଢ଼ିଛି ବିପଦ । ଯେହେତୁ ତୃତୀୟ ଆକ୍ରାନ୍ତ ବ୍ୟକ୍ତି ବିଦେଶ ଗସ୍ତ କରିନଥିଲେ, ତେଣୁ ସାମାଜିକ ସଂକ୍ରମଣ ଆରମ୍ଭ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସହ ଓଡ଼ିଶାରେ କରୋନା ଦ୍ୱିତୀୟ ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟକୁ ଯିବାର ଆଶଙ୍କା ଦେଖା ଦେଇଛି । ତେଣୁ ସ୍ଥିତି ଏବେ ଅଧିକ ସମ୍ବେଦନଶୀଳ ହୋଇଥିବା କୁହାଯାଉଛି । ୩ଜଣ ଯାକ ରୋଗୀ ଭୁବନେଶ୍ୱରରୁ ହୋଇଥିବାରୁ ରାଜଧାନୀରେ କରୋନା ସଂକ୍ରମଣ ଆଶଙ୍କା ବଢ଼ିଛି ।
ଆଜି ସୁଦ୍ଧା ଓଡ଼ିଶାରେ ୨୧୯ଟି ନମୁନା ପରୀକ୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୩ଟି ପଜିଟିଭ୍ ଚିହ୍ନଟ ହୋଇଛି । ବାକି ସବୁ ଯାକ ରିପୋର୍ଟ ନେଗେଟିଭ୍ ଆସିଛି । ଆଜି ପରୀକ୍ଷା ହୋଇଥିବା ସମସ୍ତ ୩୩ଟି ନମୁନାର ରିପୋର୍ଟ ନେଗେଟିଭ୍ ରହିଛି ।
ତୃତୀୟ ଆକ୍ରାନ୍ତ ବ୍ୟକ୍ତି ଜଣକଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ଗତ ୭ ତାରିଖରେ ସେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ କିଛି ଦିନ ରହିବା ଭିତରେ ହରିୟାଣାର ରେବାଡି ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ । ଗତ ୧୦ ତାରିଖରେ ସେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ୬ଇ-୨୦୧୪ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଥିଲେ । ବିମାନର ସିଟ୍ ନମ୍ବର ଥିଲା ୧୫-ଏ,ବି,ସି । ସନ୍ଧ୍ୟା ୭ଟା ୧୦ ମିନିଟରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଭୁବନେଶ୍ୱରରେ ପହଞ୍ଚିବା ପରେ ଗତ ୧୩ ତାରିଖରେ ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିଥିଲେ । ଗତ ୧୬ ତାରିଖରେ ବିଧାନସଭା ଡିସ୍ପେନ୍ସାରି ଯାଇଥିଲେ । ମାତ୍ର ସ୍ୱାସ୍ଥ୍ୟ ଭଲ ନ ହେବାରୁ ଗତ ୨୧ ତାରିଖରେ ସେ ୟୁନିଟ୍-୪ ସ୍ଥିତ କର କ୍ଲିନିକ୍ର ଓପିଡିକୁ ଯାଇଥିଲେ । ୨୩ ତାରିଖରେ ନିମୋନିଆ କାରଣରୁ ତାଙ୍କୁ କର କ୍ଲିନିକ୍ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୨୪ ତାରିଖରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା । ହେଲେ ଗତ ୨୫ ତାରିଖରେ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଏହା ପରେ ତାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ଗତ ୨୬ ତାରିଖ ସନ୍ଧ୍ୟାରେ ନମୁନା କରୋନା ପଜିଟିଭ୍ ବୋଲି ରିପୋର୍ଟ ଆସିଥିଲା ।
ତୃତୀୟ ରୋଗୀଙ୍କ ସହ ଅତି ନିକଟରୁ ସମ୍ପର୍କରେ ଆସିଥିବା ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେନରେ ରଖାଯାଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଠାବ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ତୃତୀୟ ରୋଗୀଙ୍କ ସହ ସେ ଦିନ ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ଅନ୍ୟ ଯାତ୍ରୀଗଣ, ବିଧାନସଭା ଡିସପେନ୍ସସାରୀକୁ ଯାଇଥିବା ବ୍ୟକ୍ତି ଓ କର କ୍ଲିନିକ୍କୁ ଯାଇଥିବା ବ୍ୟକ୍ତିମାନେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଚିନ୍ତାର ବିଷୟ ହେଲା, ପ୍ରଥମ ଓ ଦ୍ୱିତୀୟ ରୋଗୀ ବିଦେଶରୁ ଫେରିଥିଲେ । ମାତ୍ର ତୃତୀୟ ରୋଗୀ ଜଣକ ବିଦେଶ ଯାଇନଥିଲେ । ପ୍ରଥମ ଓ ଦ୍ୱିତୀୟ ରୋଗୀ ଘରକୁ ଫେରିବାର ଅଳ୍ପ ଦିନ ଭିତରେ ହସ୍ପିଟାଲରେ ଭର୍ତ୍ତି ହେବା ସହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ମାତ୍ର ତୃତୀୟ ରୋଗୀ ଜଣକ ଗତ ୧୦ ତାରିଖରେ ବିମାନରେ ଦିଲ୍ଲୀରୁ ଫେରିଥିବାବେଳେ ୨୫ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ୨୬ ତାରିଖରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ଭିତରେ ସେ ବିଧାନସଭା ଡିସ୍ପେନ୍ସସାରୀ ଯିବା ସହ କର କ୍ଲିନିକ୍କୁ ଦୁଇ ଥର ଯାଇଛନ୍ତି । କର କ୍ଲିନିକ ଆଇସିୟୁରେ ଚିକିତ୍ସିତ ହୋଇଛନ୍ତି । ତେଣୁ ଅଧିକ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ଏପରିକି ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକେ ଆଉ କେତେ ଲୋକଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି, ତାହା ଜାଣିବା କାଠିକର ପାଠ । ତେଣୁ ଭୁବନେଶ୍ୱରରେ ସାମାଜିକ ସଂକ୍ରମଣ ଆଶଙ୍କା ବଢ଼ିଛି ।
ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, ବର୍ତ୍ତମାନର ସମୟ ବହୁତ ସମ୍ବେଦନଶୀଳ । ଏଥିପାଇଁ ଅତ୍ୟନ୍ତ ସାବଧାନତା ଦରକାର । ଆସନ୍ତା କିଛି ସପ୍ତାହକୁ ବେଶ୍ ଗମ୍ଭୀରତା ସହ ନେବାକୁ ହେବ । ସମସ୍ତେ ଘରେ ରହିବା ଦରକାର । ଘରେ ରହିଲେ ହିଁ ସୁରକ୍ଷିତ ରହିହେବ ।
ପୂର୍ବରୁ ଚିକିତ୍ସିତ ହେଉଥିବା ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଉଭୟ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି । ତୃତୀୟ ରୋଗୀ ମଧ୍ୟ ସାଧାରଣ ଖାଦ୍ୟ ଖାଉଛନ୍ତି । ପ୍ରଥମ ୨ ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ଜଣ ଆସିଥିବା ତଥ୍ୟ ମିଳିଛିି । ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଛି । ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୪୪୯୫ଜଣ ୧୦୪ ହେଲ୍ପଲାଇନ୍ ଓ ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି । ପ୍ରଥମ ଦୁଇ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୭ଜଣଙ୍କୁ ଡାକ୍ତରଖାନାର ଆଇସୋଲେସନରେ ରଖାଯାଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେମାନଙ୍କ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କୁ ଆବଶ୍ୟକ ଖାଦ୍ୟପେୟ, ଔଷଧପତ୍ର ଆଦି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏସବୁ ରାଜ୍ୟରେ ଥିବା ଓଡ଼ିଆ ସଂଗଠନକୁ ସମସ୍ତ ଓଡ଼ିଆ ଲୋକଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ଅନୁରୋଧ କରିଛନ୍ତି । ଏଥିପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
କୋଭିଡ୍-୧୯କୁ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି । ତେଣୁ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁଯାୟୀ ରାଜ୍ୟର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏହାର ଆବଶ୍ୟକୀୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବିଭିନ୍ନ ରାଜ୍ୟରୁ ଓଡ଼ିଶାରେ ପହଞ୍ଚିଥିବା ପ୍ରାୟ ୫୫୪୭ଜଣ ଶ୍ରମଜୀବୀଙ୍କ ପାଇଁ ଲକ୍ ଡାଉନ୍ ସମୟରେ ୩୬ଟି ଶିବିରରେ ଖାଦ୍ୟପେୟ ଓ ରହଣୀ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଏହି ଶ୍ରମଜୀବୀମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, କେରଳ, ତେଲଙ୍ଗାନା, ପଞ୍ଜାବ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତି ।
କୋଭିଡ୍-୧୯ ଭଳି ଅସାଧାରଣ ପରିସ୍ଥିତିରେ ରାଜ୍ୟର ଗଣମାଧ୍ୟମ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି । କଠିନ ପରିଶ୍ରମ କରି ଜନସାଧାରଣଙ୍କ ନିକଟରେ ସମସ୍ତ ଖବରକୁ ଠିକ୍ ଭାବେ ପହଞ୍ଚାଉଛନ୍ତି । ଏହି ଗୁରୁଦାୟିତ୍ୱ ନିର୍ବାହ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମର ଏହି ସହଯୋଗକୁ ପ୍ରଶଂସା କରିବା ସହ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।