କରୋନା ମୁକାବିଲା ପାଇଁ ୫୦ ଲକ୍ଷ ଦେଲେ ସଚିନ, ୧୦ ଲକ୍ଷ ଦେଲେ ପିଭି ସିନ୍ଧୁ

ମୁମ୍ବାଇ : କରୋନା ଭୂତାଣୁ ସଂପର୍କରେ ସୋସିଆଲ ମିଡିଆରେ ନିଜର ଅନୁଗାମୀମାନଙ୍କୁ ସବୁବେଳେ ସଚେତନ କରି ଆସୁଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ଏହି ଭୂତାଣୁର ମୁକାବିଲା କରିବା ପାଇଁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦେଇଛନ୍ତି । ଏହି ଅର୍ଥରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ କିଣିବା ପାଇଁ ସେ ଅନୁରୋଧ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଏ ପର୍ଯ୍ୟନ୍ତ ଯେତେଜଣ କ୍ରୀଡ଼ାବିତ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରିଛନ୍ତି ସେଥିମଧ୍ୟରେ ସଚିନ ସର୍ବାଧିକ ଅର୍ଥ ଦେଇଛନ୍ତି । ଯଦିଓ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିଥିଲେ । କିନ୍ତୁ ତାହା ପ୍ରତ୍ୟକ୍ଷ ଭାବେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କୁ ନୁହଁ ବରଂ ଏକ ଘରୋଇ କମ୍ପାନୀ ସହାୟତାରେ ପଶ୍ଚିମବଙ୍ଗରେ ବିଭିନ୍ନ ଅଞ୍ଚଳରେ ଆଶ୍ରୟ ନେଇଥିବା ଅସହାୟ ଗରିବ ଲୋକଙ୍କୁ ଏହି ଚାଉଳ ବଣ୍ଟନ କରିବେ । ପଠାନ ବ୍ରଦର୍ସ (ୟୁସୁଫ ଓ ଇର୍ଫାନ) ୪୦୦୦ ମାସ୍କ ବରୋଦା ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ଦାନ କରିଥିଲେ । ମହେନ୍ଦ୍ର ସିଂ ଧୋନି ଏକ ଏନ୍‌ଜିଓ ସହାୟତାରେ ୧ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ସେମିତି ବଜରଙ୍ଗ ପୁନିଆ ଓ ହିମା ଦାସ ନିଜ ନିଜର ମାସିକ ଦରମା ଦାନ କରିବା ବିଷୟ ଘୋଷଣା କରିଥିଲେ ।

କରୋନା ଭାଇରସର ମୁକାବିଲା ପାଇଁ ଚର୍ଚ୍ଚିତ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ଉଭୟ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଟ୍ୱିଟର ଜରିଆରେ ସିନ୍ଧୁ କରୋନା ଭାଇରସ ସଂପର୍କିତ ସଚେତନତା ବାର୍ତ୍ତା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଥିବା ବିଷୟ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *