
ନୂଆଦିଲ୍ଲୀ : ଦେଶର ସବୁଠୁ ଧନୀ ଏବଂ ସ୍ୱୟଂଶାସିତ କ୍ରୀଡ଼ା ସଙ୍ଗଠନ ବିସିସିଆଇ କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ସହାୟତାର ହାତ ବଢ଼ାଇଛି । ବିସିସିଆଇ ପକ୍ଷରୁ ଆଜି ୫୧ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (କେୟାର୍ସ ଫଣ୍ଡ୍)କୁ ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା ବିଷୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, ବୋର୍ଡର ବରିଷ୍ଠ ଅଧିକାରୀ ଏବଂ ଅନୁବନ୍ଧିତ ରାଜ୍ୟ ସଂଘ ପକ୍ଷରୁ ଘୋଷଣା କରାଯାଇଛି ।
ଦିନକୁ ଦିନ ଦେଶରେ କରୋନା ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ଅର୍ଥ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଲାଗିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଆମ ଦେଶର ଶନିବାର ରାତି ସୁଦ୍ଧା ମୋଟ୍ ୯୩୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୦ ଜଣ ପ୍ରାଣ ହରାଇ ସାରିଛନ୍ତି । ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ୨୧ ଦିନ ଧରି ଦେଶକୁ ‘ଲକ୍ ଡାଉନ’ ଘୋଷଣା କରିଛନ୍ତି ।
କରୋନା ଯୋଗୁ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟ (ମୁମ୍ବାଇ)ରେ ତାଲା ପଡ଼ିଛି । ସମସ୍ତ କର୍ମକର୍ତ୍ତା ଏବଂ କର୍ମଚାରୀମାନେ ନିଜ ନିଜ ଘରେ ରହି କାର୍ଯ୍ୟ କରୁଛନ୍ତି । ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଘରେ ରହିଛନ୍ତି । ଭିଡିଓ କନଫରେନସ୍ରେ ପରସ୍ପର ସହ ଯୋଗାଯୋଗରେ ରହିଛନ୍ତି ।
ଚଳିତ ବର୍ଷ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଆଶଙ୍କାରେ ରହିଛି । ମାର୍ଚ୍ଚ ୨୯ ତାରିଖରୁ ୧୩ତମ ସଂସ୍କରଣ ଆରମ୍ଭ ହୋଇଥାନ୍ତା । କିନ୍ତୁ କରୋନା ସଂକ୍ରମଣ ଯୋଗୁ ଏହାକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ହେଲେ ପୁଣି ଦେଶ ୨୧ ଦିନ ବନ୍ଦ ହେବା ପରେ ଆଇପିଏଲ୍ ଆୟୋଜନ ଚଳିତ ବର୍ଷ ଏକ ପ୍ରକାର ଅସମ୍ଭବ ବୋଲି ମନେ ହେଉଛି । କିନ୍ତୁ ବିସିସିଆଇ ଏ ସଂପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ ।