
ନୂଆଦିଲ୍ଲୀ : ଲକ୍ ଡାଉନ୍ ସମୟରେ କୌଣସି ଘର ମାଲିକ ଶ୍ରମିକମାନଙ୍କୁ ଘରଭଡା ମାଗି ପାରିବେନି କିମ୍ବା ଘର ଖାଲି କରିବା ପାଇଁ କହି ପାରିବେନି । କେନ୍ଦ୍ର ସରକାର ଏପରି ନିର୍ଦେଶ ଜାରି କରିଛନ୍ତି । ଯେ କୌଣସି ମାଲିକ ଏହାର ଖିଲାପ କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରମିକମାନେ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ସେମାନଙ୍କ ପାଇଁ ରାଜ୍ୟ ଖାଇବା ଓ ରହିବାର ବ୍ୟବସ୍ଥା କରିବାପାଇଁ କୁହାଯାଇଛି ।
ରାଜ୍ୟମାନଙ୍କୁ ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହାସହ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ଓ କମ୍ପାନୀ ଲକ୍ଡାଉନ୍ ସମୟରେ ଟଙ୍କା ଦେବାପାଇଁ କୁହାଯାଇଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ କଡା ନିୟମ ପ୍ରଣୟନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି । କେବଳ ସାମାଜିକ ଦୂରତ୍ୱ ରକ୍ଷା ସଂକ୍ରମଣରୁ ରକ୍ଷା ପାଇ ପାରିବ ।
ଦିଲ୍ଲୀରେ ଏବେ ହଜାର ହଜାର ସଂଖ୍ୟାରେ ଶ୍ରମିକ ନିଜ ଘରକୁ ଫେରିବାପାଇଁ ରସ୍ତାରେ ବସି ରହିଛନ୍ତି । ମାତ୍ର ଲକ୍ ଡାଉନ୍ ଯୋଗୁଁ ସେମାନେ ଫେରି ପାରୁ ନାହାନ୍ତି । ମାତ୍ର ସେମାନେ ନ ଫେରି ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ରହିବା ପାଇଁ କୁହାଯାଇଛି । ଦିଲ୍ଲୀ ସରକାର ସେମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଦିଲ୍ଲୀର ବିଭିନ୍ନ ବସ୍ ଟର୍ମିନାଲ୍ରେ ଏହି ଶ୍ରମିକମାନେ ବସି ରହିଛନ୍ତି।