ଲକ୍‌ଡାଉନ ବଢ଼ାଇବାକୁ ୬ ରାଜ୍ୟର ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାକୁ ରୋକିବା ସହ ଏହା କବଳରୁ ଗ୍ରାମୀଣ ଭାରତ (ଗାଁ)କୁ ମୁକ୍ତ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକ ନାଗରିକ ଯେଭଳି ସାମାଜିକ ଦୂରତା (ଦୋ ଗଜ ଦୂରି) ବଜାୟ ରଖିବେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି । ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ପ୍ରତିଦିନ ନିଜ ରାଜ୍ୟକୁ ଫେରୁଥିବାରୁ ଗ୍ରାମୀଣ ଅଞ୍ଚଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ଯେ ଦେଶ ବର୍ତ୍ତମାନ ଘଡ଼ିସନ୍ଧି ସମୟ ଦେଇ ଗତିକରୁଛି । ସବୁ ରାଜ୍ୟ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ସମସ୍ତେ ମିଳିମିଶି କାର୍ଯ୍ୟ କରୁଛନ୍ତି । ସନ୍ତୁଳିତ ରଣନୀତି ସହିତ ଆମକୁ ଆଗକୁ ବଢ଼ିବାକୁ ହେବ । ଆଗକୁ ଯେଉଁ ଚାଲେଞ୍ଜ ଆସିବ ତାକୁ ମିଳିମିଶି ମୁକାବିଲା କରିବାକୁ ପଡିବ । ଦେଶର ବିଭିନ୍ନ ଭାଗରେ ଆର୍ଥିକ ଗତିବିଧି ପୁଣିଥରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ସ୍ୱାଭାବିକ ଅବସ୍ଥା ଫେରିଆସିବ । କିନ୍ତୁ କରୋନା ବିରୋଧୀ ଲଢ଼େଇ ଜାରି ରଖିବାକୁ ହେବ । କରୋନା ମହାମାରୀକୁ ଭାରତ ଯେଭଳି ହସ୍ତାନ୍ତର କରିଛି ସେଥିପାଇଁ ବିଶ୍ୱ ସମୁଦାୟ ଆମକୁ ପ୍ରଶଂସା କରିଛନ୍ତି । କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଆପଣଙ୍କ ପ୍ରସ୍ତାବ ଓ ପରାମର୍ଶ ଅନୁସାରେ ନୀତି ନିର୍ଦ୍ଧାରଣ ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଇଗଜ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଏହା ହିଁ କରୋନା ସଂକ୍ରମଣ ରୋକିବାକୁ ସବୁଠାରୁ ବଡ ଅସ୍ତ୍ର । ଏଥିରେ ଢିଲା ହେଲେ ଦେଶ ପାଇଁ ସଙ୍କଟ ବଢ଼ିବ । ବିଶ୍ୱର ଏହି ସଙ୍କଟ ସମୟରେ ଭାରତ ପ୍ରଭାବୀ ପଦକ୍ଷେପ ନେଇ ନିଜକୁ ସୁରକ୍ଷିତ ରଖିପାରିଛି । ଲକ୍‌ଡାଉନ ଲାଗୁ କରିବା ଓ ତାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସମସ୍ତଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଯିଏ ଯେଉଁଠାରେ ଥାଉ ସେହିଠାରେ ରହୁ, ଏହି ପ୍ରୟାସ ଆମର ହେବା ଦରକାର । କିନ୍ତୁ ଆମକୁ କିଛି ନିର୍ଣ୍ଣୟ ବଦଳାଇବାକୁ ପଡିବ । ଗ୍ରାମୀଣ ଭାରତକୁ ଏହି ସଙ୍କଟରୁ ମୁକ୍ତ ରଖିବାକୁ ହେବ । ଗ୍ରାମୀଣ ଭାରତର ଅର୍ଥନୀତିକୁ ଟ୍ରାକକୁ ଆଣିବା ଲାଗି ଲକ୍‌ଡାଉନ କଟକଣା କୋହଳ କରାଯାଇଛି । ମାତ୍ର ଏହି କୋହଳ ଭିତରେ ଯେଭଳି ସେଠାରେ ସଂକ୍ରମଣ ନବ୍ୟାପେ ତାହାସୁନିଶ୍ଚିତ କରିବା ଆମ ପାଇଁ ସବୁଠାରୁ ବଡ ଚାଲେଞ୍ଜ ହେବ ।

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମହାରାଷ୍ଟ୍ର, ତେଲଙ୍ଗାନା, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ବିହାର ଭଳି କେତେକ ରାଜ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦର୍ଶାଇଥିଲେ ଲକ୍‌ଡାଉନ ହଟାଯିବା ଫଳରେ ବାହାର ରାଜ୍ୟର ଲୋକମାନେ ତାଙ୍କ ରାଜ୍ୟକୁ ଆସିବେ ଓ ତାଙ୍କ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଲକ୍‌ଡାଉନ ବଢ଼ାଯିବାକୁ ବିରୋଧ କରିଥିଲେ । କରୋନା ସଂକ୍ରମଣରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ଚଳିତମାସ ଶେଷ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ କିମ୍ବା ବିମାନ ଚଳାଚଳ ନକରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଚେନ୍ନାଇରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି । ଏହାକୁ ରୋକିବାକୁ ହେଲେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ଉପରେ ରୋକ୍‌ ଲଗାଯିବା ଦରକାର । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲକ୍‌ଡାଉନ ଅବଧି ବଢ଼ାଇବାକୁ ସମର୍ଥନ କରିଥିଲେ । ସେ କହିଥିଲେ ଲକ୍‌ଡାଉନ ନ ବଢ଼ିଲେ କରୋନା ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିବ । ଏଥିସହ ସେ ଲୋକାଲ ଟ୍ରେନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରେଡ୍‌ଜୋନ୍‌ ଠାରୁ ଆରମ୍ଭ କରି ଗ୍ରୀନ୍‌ଜୋନ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ କଟକଣା ବଳବତ୍ତର ରଖିବାକୁ ପ୍ରସ୍ତାବ ଦେଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଉପଯୁକ୍ତ ରଣନୀତି ଆଧାରରେ ଲକ୍‌ଡାଉନ ବଢ଼ାଇବାକୁ କହିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରୋଡ୍ଡୀ ସର୍ତ୍ତ ଭିତ୍ତିରେ ସର୍ବସାଧାରଣ ପରିବହନ ସେବା, କୃଷି ମାର୍କେଟ, ମାର୍କେଟ, ସପିଂ ମଲ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଦୋକାନ ବଜାର ଖୋଲିବା ଦ୍ୱାରା ସ୍ୱାଭାବିକ ଅବସ୍ଥା ଫେରିବ ଓ ଅର୍ଥନୀତି ଟ୍ରାକକୁ ଆସିପାରିବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ମଧ୍ୟରେ ପାତରଅନ୍ତର କରୁଥିବା ଅଭିଯୋଗ ଆଣିଥିଲେ ।

ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କ ସମସ୍ୟା କଥା ସବୁ ରାଜ୍ୟ ଉଠାଇଥିଲେ । ଚାକିରି ହରାଇଥିବା ଏହି ଶ୍ରମିକମାନେ ବିନା ଖାଦ୍ୟ ଓ ପାନୀୟରେ ହଜାର ହଜାର କିଲୋମିଟର ନିଜ ପିଲାଛୁଆଙ୍କୁ ଧରି ଆସିବାର କରୁଣ ଚିତ୍ର ସବୁଆଡେ ଦେଖିବାକୁ ମିଳିଛି । ଏପରିକି ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରିଥିଲେ ମଧ୍ୟ ବହୁ ସଂଖ୍ୟକ ଶ୍ରମିକ, ଛାତ୍ର ଓ ଅନ୍ୟ ଲୋକମାନେ ପାଦରେ ଚାଲିଚାଲି ନିଜ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ପାଇଁ ଆର୍ଥିକ ସହାୟତା ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରମାନେ ଦାବି କରିଥିଲେ କି ମେ ୧୭ ତାରିଖ ପରେ ପର୍ଯ୍ୟାୟ କ୍ରମେ ଯଦି ଗ୍ରୀନ୍‌, ଅରେଞ୍ଜ ଓ ରେଡ୍‌ ଜୋନରୁ ଲକ୍‌ଡାଉନ ହଟାଯାଏ ତେବେ କେଉଁ ଅଞ୍ଚଳରୁ କଟକଣା ହଟିବ ଓ କେଉଁଠାରେ ରହିବ ସେହି ନିଷ୍ପତ୍ତି ରାଜ୍ୟ ପ୍ରଶାସନ ହାତରେ ଛାଡ଼ି ଦିଆଯାଉ ।

Leave a Reply

Your email address will not be published. Required fields are marked *