
କଟକ: ଜୁନ୍ ୨୩ରେ ପଡ଼ୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଳମ୍ବରେ ହେଲେ ବି ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ରଥ କାମ ଯଦି ଠିକ ସମୟରେ ନ ସରିବ ସବୁ ଆଶା ମଉଳିଯିବ। ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । କରୋନା ସଂକଟ ପାଇଁ ଏ ବର୍ଷ ରଥ ନିର୍ମାଣ କାମ ଡେରିରେ ଆରମ୍ଭ ହୋଇଛି । ତେଣୁ ରଥ ନିର୍ମାଣକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ଆସନ୍ତା ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଜୋରସୋରରେ ରଥ ନିର୍ମାଣ କାମ ଚାଲିଛି ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଶେଷ ହୋଇଯିବ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ।
ସୂଚନାଥାଉ କି, ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ହେବାର ନିୟମ ଥିଲେ ମଧ୍ୟ ଚଳିତବର୍ଷ କାମ ଆରମ୍ଭ ହୋଇ ପାରି ନ ଥିଲା। ୧୩ ଦିନ ବିଳମ୍ବରେ ଅର୍ଥାତ ଗତ ୮ ତାରିଖ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାମ ଆଗେଇ ଚାଲିଛି ।