ଅର୍ଥମନ୍ତ୍ରୀଙ୍କ ଆତ୍ମନିର୍ଭର ସଞ୍ଜୀବନୀର ଦ୍ୱିତୀୟ ପର୍ଯ୍ୟାୟ: ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌

ନୂଆଦିଲ୍ଲୀ: ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME  ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଘୋଷଣା ହୋଇଥିଲା।

ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଆଜିର ପ୍ୟାକେଜ୍‌ ଘୋଷଣା ହୋଇଛି। ଆଜି ୯ ଷ୍ଟେପରେ ଅର୍ଥ ରାଶି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେଥିମଧ୍ୟରୁ ୩ଟି ପ୍ରବାସୀ ଶ୍ରମିକ ସମ୍ପର୍କରେ, ୧ଟି ହାଉସିଂ ପାଇଁ, ୧ଟି ରାସ୍ତାକଡ଼ ଦୋକାନୀ, ୨ଟି କ୍ଷୁଦ୍ର କୃଷି, ୧ଟି ଆଦିବାସୀ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଓ ୧ଟି ମୁଦ୍ରା ଯୋଜନାରେ ଶିଶୁ ଋଣ କ୍ଷେତ୍ରରେ ଅର୍ଥ ରାଶୀ ଘୋଷଣା ହୋଇଛି।

ଆଜିର ଘୋଷମାରେ ୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟିର ଋଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେହିଭଳି ଟାଷୀଙ୍କ ପାଇଁ ୩ କୋଟି ଚାଷୀଙ୍କୁ ୪.୨ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବା ସହିତ କୃଷି ଋଣ ପରିଶୋଧ ଅବଧିକୁ ୩୧ ମେ’ କୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।  ଏଥିସହିତ ମାର୍ଚ୍ଚ ଓ ଏପ୍ରିଲରେ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି, ୬୩ ଲକ୍ଷ ଚାଷୀଙ୍କୁ ମୋଟ ପ୍ରାୟ ୮୬୬୦୦ କୋଟି ଋଣ ମିଳିଛି।

ସେହିଭଳି ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ SDRF ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ସହରାଞ୍ଚଳ ଗୃହହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯିବା ସହିତ  ଦୈନିକ ୩ ଟାଇମ୍ ଖାଇବାକୁ ଦିଆଯାଉଛି। ସହରାଞ୍ଚଳ ଗରିବଙ୍କ ପାଇଁ ୭୨୦୦ ନୂଆ SHG ସୃଷ୍ଟି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ଅଧିକ ମାନବ ଦିବସ କରାଯାଇଛି। ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇଛି। ମନରେଗାରେ ମଜୁରୀ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ନାନା ହଇରାଣ ହେଉଥିବାର ଖବର ଶୁଣିବାକୁ ମିଳୁଛି। ତେଣୁ ଏହି ସମସ୍ୟାକୁ ଆଖି ଆଗରେ ରଖି ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ସମସ୍ତ ପ୍ରବାସୀଙ୍କୁ ଆଗମୀ ଦୁଇ ମାସ ଯାଏ ପ୍ରାୟ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବାର ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ। ଏଥିପାଇଁ ୩୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଦୁଇ ମାସ ଯାଏ ମାସିକ ମୁଣ୍ଡ ପିଛା ୫ କିଲୋ ଚାଉଳ କିମ୍ବା ଗହମ ମିଳିବ। ପରିବାର ପିଛା ମାସିକ ୧ କେଜି ଡାଲି ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଏହି ଖାଦ୍ୟ ଶସ୍ୟ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ନିର୍ମଳା କହିଛନ୍ତି। 

ସେହିଭଳି ଖୁବ୍‌ ଶୀଘ୍ର ଏକ ଦେଶ-ଏକ ରାସନ କାର୍ଡ ଲାଗୁ ହେବାକୁ ଯାଉଛି। ଦେଶର ଯେକୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ।

ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡ଼ା ଯୋଜନା। ସୁଲଭ ଦରରେ ଭଡ଼ା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡ଼ା ଘର ମିଳିବ।

୧୫ ହଜାର କମ୍‌ ଋଣ ଥିବା ଲୋକଙ୍କୁ ୨% ସୁଧ ଛାଡ଼ କରାଯିବ। ମୁଦ୍ରା ଶିଶୁ ଯୋଜନାରେ ଥିବା ଋଣଗ୍ରହିତାଙ୍କୁ ଏହି ସୁବିଧା ମିଳିବ। ୩ କୋଟି ଋଣ ଗ୍ରହୀତାଙ୍କୁ ୧୫ ଶହ କୋଟିର ଋଣ ମିଳିବ ବୋଲି ଆଜି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ସେହିଭଳି ଉଠା ଦୋକାନୀଙ୍କୁ ଆର୍ଥିକ ସୁବିଧା ପାଇଁ ୫ ହଜାର କୋଟି ବ୍ୟବସ୍ଥା ହୋଇଛି। ଏମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏଥିରେ ଦେଶର ପ୍ରାୟ ୫୦ ଲକ୍ଷ ଉଠା ଦୋକାନୀ ଲାଭବାନ ହେବେ। ଏଥିସହିତ ମଧ୍ୟବିତ୍ତଙ୍କୁ ଗୃହନିର୍ମାଣ ସୁବିଧା ପାଇଁ କ୍ରେଡିଟ୍‌ ଲିଙ୍କ ସବ୍‌ସିଡି ଅବଧି ବୃଦ୍ଧି କରିଛନ୍ତି ସରକାର।

ଆଦିବାସୀଙ୍କୁ କାମ ଯୋଗାଇ ଦେବା, ଜଙ୍ଗଲ ସୁରକ୍ଷା ଓ ବନ୍ୟଯନ୍ତୁ ସୁରକ୍ଷା ପାଇଁ କାମ୍ପା ପାଣ୍ଠିକୁ ୬ ହଜାର କୋଟିର ବ୍ୟୟବରାଦ ହୋଇଛି।

ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ରାଜ୍ୟମାନଙ୍କୁ ତୁରନ୍ତ ୩୦ ହଜାର କୋଟି ଯୋଗାଣ ନେଇ ଘୋଷଣା ହୋଇଛି। ଏଥିରୁ ୩ କୋଟି ଚାଷୀଙ୍କୁ ଲାଭ ମିଳିବ। ଅଢ଼େଇ କୋଟି ଚାଷୀଙ୍କୁ ୨ ଲକ୍ଷ କୋଟିର ରହାତି ଋଣ ମିଳିବ। ଗୋପାଳନ ଓ ମାଛ ଚାଷୀଙ୍କୁ କାଷାନ କ୍ରେଡିଟ୍ କାର୍ଡ ମିଳିବ।

କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ମଙ୍ଗଳାବାର ୨୦ ଲକ୍ଷ କୋଟିର ବୃହତ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦେଶର ଜିଡିପିର ୧୦ ପ୍ରତିଶତ ବୋଲି କହିଥିଲେ। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ୍ ବଡ଼ ଭୂମିକା ରଖିବ ବୋଲି ମୋଦି କହିଥିଲେ। ସେହିଭଳି ଆଞ୍ଚଳିକ ସ୍ତରରେ ଉତ୍ପାଦନ ଓ ଆଞ୍ଚଳିକ ସ୍ତରରେ ଆତ୍ମନିର୍ଭଶୀଳତା ଉପରେ ଜୋର ଦେଇଥିଲେ ପ୍ରଧାନମନ୍ତ୍ରୀ। ତେବେ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୃହତ୍‌ ଆର୍ଥିକ ରାଶିର ପ୍ରଥମ ପର୍ଯ୍ୟାୟ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟ ଅର୍ଥ ଘୋଷଣାରେ MSMEକୁ ମଜଭୁତ କରିବା ପାଇଁ ୩ ଲକ୍ଷ କୋଟିର ଋଣ ପ୍ରଦାନ କରିବାକୁ ଘୋଷଣା ହୋଇଥିଲା। ଏଥିସହିତ ଅନ୍ୟ ବିଭାଗ ପାଇଁ ମଧ୍ୟ ଅର୍ଥ ରାଶି ଘୋଷଣା କରିଥିଲେ ନିର୍ମଳା ସୀତାରମଣ।

Leave a Reply

Your email address will not be published. Required fields are marked *