
ଭୁବନେଶ୍ୱର : ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ପୁଲିସ ମାଡରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଓଡ଼ିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ ଜମୁଥିଲା । ସେମାନଙ୍କ ଟିକଟ ବ୍ୟବସ୍ଥା ନେଇ ପ୍ରବାସୀମାନେ ପୁଲିସର ସହଯୋଗ ମାଗୁଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ଥାନାରେ ପ୍ରବଳ ଭିଡ ଜମିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ କେତେ ଜଣ ପୁଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜରେ ରହୁଥିବା ଶ୍ରମିକଙ୍କ ପାଖରେ ପହଂଚିଥିଲେ ।
କଂପାନୀର ଶ୍ରମିକ ରହୁଥିବା ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଏବଂ ସେଠାରେ ଥିବା ସତ୍ୟ ସ୍ୱାଇଁ ନାମକ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ନାଁ ସତ୍ୟ ସ୍ୱାଇଁ ଏବଂ ତାଙ୍କ ଘର ଭଂଜନଗର ଥାନା ଅନ୍ତର୍ଗତ ବୋଲି ଜଣାପଡିଛି । ଘରେ ତାଙ୍କର ମାନସିକ ଅସୁସ୍ଥ ଥିବା ଜଣେ ୫ ବର୍ଷ ପୁଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।