ଉପକୂଳବର୍ତ୍ତୀ ଓଡ଼ିଶାକୁ ସତର୍କ ସୂଚନା ଜାରି, ଆଜି ବାତ୍ୟାର ରୂପ ନେଇପାରେ ‘ଅମ୍ଫାନ’

Image Source: Skymet Weather

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅମ୍ଫାନ’ର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ତରଫରୁ ଉପକୂଳ ଓଡ଼ିଶାର ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତାକାଲି ସନ୍ଧ୍ୟା ପରେ ଏହା ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ । ବାତ୍ୟା କେଉଁଠି ଲାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇପାରି ନାହିଁ । ପଶ୍ଚିମବଙ୍ଗ, ବାଂଲାଦେଶ ଅଥବା ଅନ୍ୟ କେଉଁଠି ଲାଣ୍ଡଫଲ କରିପାରେ । 

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ । ତେଣୁ ଆସନ୍ତାକାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ଅଧିକ ବିପଦ ରହିଛି । ଯାହା ଅନୁମାନ କରାଯାଉଛି, ୧୮ତାରିଖ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ୧୯ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଘଡଘଡ଼ି ବର୍ଷା ସହ ପବନର ଘଣ୍ଟା ପିଛା ବେଗ ୪୦ରୁ ୫୦ କିଲୋମିଟର ରହିପାରେ । 

Leave a Reply

Your email address will not be published. Required fields are marked *