ୟୁପି: ସଡ଼କ ଦୁର୍ଘଟଣାରେ 24 ଜଣ ଶ୍ରମିକଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଔରେୟା: ଶନିବାର ପାହାନ୍ତାରେ ଉତ୍ତର ପ୍ରଦେଶର ଔରେୟା ଅନ୍ତର୍ଗତ ମିହାଉଲି ଠାରେ ଗୋଟାଏ ଟ୍ରଲର୍ ଟ୍ରକ୍ ଅନ୍ୟ ଏକ ଗୋଟାଏ ଡିସିଏମ୍ ଟ୍ରକ୍ ସହିତ ଧକ୍କା ଖାଇବାରୁ ଅନ୍ୟୂନ ୨୪ ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ୧୫/୨୦ ଜଣ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି ବୋଲି ପୁଲିସ କହିଛି। ଉଭୟ ଗାଡ଼ିରେ ଶ୍ରମିକମାନେ ଯାତ୍ରା କରୁଥିଲେ।

ଔରେୟାର ଜିଲ୍ଲାପାଳ ଅଭିଷେକ ସିଂହ କହିଛନ୍ତି, ରାତି ୩: ୩୦ରେ ଦୁର୍ଘଟଣା ଘଟିଛି। ୨୪ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି ଓ ପ୍ରାୟ ୧୫-୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ବାସିନ୍ଦା।

ଚିକିତ୍ସା ନିମନ୍ତେ ଆହତ ଶ୍ରମିକମାନଙ୍କୁ ଜିଲ୍ଲା ଡାକ୍ତରଖାନା ଓ ସାଇଫାଇ ପିଜିଆଇକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୫୦ଜଣ ଶ୍ରମିକ ଟ୍ରଲର୍ ଟ୍ରକ୍‌ରେ ରାଜସ୍ଥାନରୁ ଆସୁଥିଲେ। ଜିଲ୍ଲା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଡିସିଏମ୍ ଟ୍ରକ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଛତ୍ରପୁର ଯାଉଥିଲା ବେଳେ ଟ୍ରଲର୍ ଟ୍ରକ୍ ତା’ ଦେହରେ ଧକ୍କା ଖାଇଥିଲା। ଧକ୍କା ଯୋଗୁଁ ଉଭୟ ଗାଡ଼ି ସନ୍ତୁଳନ ହରାଇ ଓଲଟି ପଡ଼ିଥିଲେ।

ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଆହତମାନଙ୍କୁ ତୁରନ୍ତ ଚିକିତ୍ସା କରାଇବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାର କାରଣ ଅନୁସନ୍ଧାନ କରି ତୁରନ୍ତ ରିପୋର୍ଟ କରିବାକୁ ସେ କାନପୁର ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *